ଝାରସୁଗୁଡାରେ ବିଜେପି ରାଜ୍ୟ ସଭାପତି, ପରୀକୁ ନ୍ୟାୟ ଦେବାକୁ ବିଜେପି ପଦଯାତ୍ରାରେ ସାମିଲ ହେବାକୁ ଆହ୍ବାନ

Published By : Prameya-News7 Bureau | December 15, 2020 IST

ଝାରସୁଗୁଡା ୧୫।୧୨: ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଦଳୀୟ ରାଜ୍ୟ ସଭାପତି ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଝାରସୁଗୁଡା ସର୍କିଟ୍ ହାଉସରେ ପହଞ୍ଚିଥିଲେ । ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ କରାଯାଉଥିବା ପଦଯାତ୍ରାରେ ଯୋଗଦେବା ପାଇଁ ଆହ୍ବାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଝାରସୁଗୁଡାରେ ପହଞ୍ଚିବା ପରେ ବଡ଼ମାଲଠାରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ବିପୁଳ ସ୍ବାଗତ କରିଥିଲେ ।

ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, ପରୀ ପରି ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ୫ ହଜାର ଶିଶୁ ନିଖୋଜ ହେଉଛନ୍ତି । ତେଣୁ ଏହାକୁ ରୋକିବା ସହ ପରୀକୁ ନ୍ୟାୟ ଦେବା ପାଇଁ ଝାରସୁଗୁଡା ପ୍ରତ୍ୟେକ ବ୍ୟକ୍ତି ଏକ ହୋଇ ବିଜେପିର ପଦଯାତ୍ରାରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରୀର ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ଦୋଷୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରି ନାହିଁ । ଏହା ରାଜ୍ୟ ସରକାରଙ୍କ ବିଫଳତା ଓ ପୋଲିସର ନିଷ୍କ୍ରିୟତାକୁ ଦର୍ଶାଉଛି ।

ଅନ୍ୟପଟେ ପରୀର ହତ୍ୟାକାଣ୍ଡରେ ବବୁଲ ନାଏକର ସମ୍ପୃକ୍ତି ଥିଲେ ସୁଦ୍ଧା ତା ମୁଣ୍ଡରେ ଅରୁଣ ସାହୁଙ୍କ ହାତ ଥିବାରୁ ପୋଲିସ ତାକୁ ଗିରଫ କରୁନାହିଁ ବୋଲି ବିଜେପି ପକ୍ଷରୁ ସାଂଘାତିକ ଅଭିଯୋଗ କରାଯାଇଛି । ତେଣୁ ରାଜ୍ୟ ସରକାର ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି ପରୀକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ଆଗାମୀ ପୌର ନିର୍ବାଚନ ପାଇଁ ଜିଲ୍ଲା ବିଜେପି ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟାର ଭାଗିଦାରୀ ହୋଇ ତାର ସମାଧାନର ରାସ୍ତା ଫିଟାଇବ ବୋଲି ସମୀର ମହାନ୍ତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.