କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେଙ୍କ ଭବିଷ୍ୟବାଣୀ, ମହାରାଷ୍ଟ୍ରରେ ଆଗାମୀ ଦୁଇ ତିନି ମାସରେ ବିଜେପି ଗଢିବ ସରକାର

Published By : Prameya-News7 Bureau | November 24, 2020 IST

ପରଭଣି ୨୪।୧୧: ବିଜେପିର ବରିଷ୍ଠ ନେତା ଏବଂ ରାଜ୍ୟମନ୍ତ୍ରୀ ରାଓସାହେବ ଦାନଭେ ପାଟିଲ ମହାରାଷ୍ଟ୍ର ରାଜନୀତିକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ସେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କହିଛନ୍ତି ଯେ, ଆଗାମୀ ଦୁଇ ତିନି ମାସ ମଧ୍ୟରେ ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଛି ।

ପରଭଣି ସହରରେ ନିର୍ବାଚନୀ ପ୍ରଚାର କରିବା ସମୟରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଏଭଳି ଭବିଷ୍ୟବାଣୀ କରିଛନ୍ତି । ରାଓସାହେବ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ, ଏହା ଭାବନାହିଁ ଯେ ରାଜ୍ୟରେ ବିଜେପି ସରକାର ଗଠନ କରିବ ନାହିଁ । ଆପଣମାନଙ୍କୁ କହିରଖୁଛି ଯେ, ଆଗାମୀ ଦୁଇ ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ଆମେ ସରକାର ଗଠନ କରିବାକୁ ଯାଉଛୁ । ଆପଣମାନେ ଏହାକୁ ମନେ ରଖିବେ ।

ରାଓସାହେବ ସେଠାରେ ନିଜ ଯୋଜନାର ଅଧିକ ତଥ୍ୟ ଦେଇନାହାନ୍ତି । ସେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ, ରାଜ୍ୟରେ ସରକାର କେମିତି ଗଠନ ହେବ ଏହା ମୁଁ ଆପଣଙ୍କୁ କହିବିନାହିଁ । ସରକାର ଗଠନ ହେବା ପରେ ହିଁ ମୁଁ ଏ ବିଷୟରେ କହିବି । ଆମେ ତ କେବଳ ଅପେକ୍ଷା କରିଛୁ ବର୍ତ୍ତମାନ ହେବାକୁ ଥିବା ନିର୍ବାଚନ ସରିବା ପର୍ଯ୍ୟନ୍ତ ।

ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆତ୍ମବିଶ୍ବାସ ବଢାଇବା ପାଇଁ ସେ କହିଥିଲେ ଯେ, ବିଧାନ ପରିଷଦରେ ସ୍ନାତକ ନିର୍ବାଚନ କ୍ଷେତ୍ରର ନିର୍ବାଚନ ଆମ କାର୍ଯ୍ୟକର୍ତ୍ତାଙ୍କୁ ପୂରା ଦମ୍ ରେ ଲଢିବାକୁ ହେବ । ଏହା ଚିନ୍ତା କରି ଲଢିବା ଉଚିତ୍ ଯେ, ଆଗାମୀ କିଛି ମାସରେ ମହାରାଷ୍ଟ୍ରରେ ଆମେ ହିଁ ସରକାର ଗଠନ କରିବାକୁ ଯାଉଛୁ । ଏହି ନିର୍ବାଚନରେ ଆମ ଦଳର ପ୍ରାର୍ଥୀ ଜିତିବା ଉଚିତ୍ । ବିଧାନ ପରିଷଦରେ ବିଜେପିର ହିଁ ବହୁମତ ହେବା ଉଚିତ୍ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମର ତିନି ପ୍ରତିନ୍ଦ୍ବନ୍ଦୀ ଏକାସଙ୍ଗେ ବିଜେପି ବିରୋଧରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.