ବିବାଦୀୟ ବୟାନ ପାଇଁ ଭୋପାଳରୁ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନ କମିଶନ ଜାରୀ କଲେ ନୋଟିସ୍

Published By : Prameya-News7 Bureau | April 21, 2019 IST

ନୂଆଦିଲ୍ଲୀ ୨୧|୪: ଭୋପାଳରୁ ସାଧ୍ବୀ ପ୍ରଜ୍ଞାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା ପରଠାରୁ ଲାଗି ରହିଛି ବିବାଦ।  ସାଧ୍ବୀ ପ୍ରଜ୍ଞା ମଝିରେ ମଝିରେ ଏମିତି ଗୋଟିଏ ଗୋଟିଏ ବୟାନ ଦେଉଛନ୍ତି ଯାହାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହେଉଛି । ବିରୋଧୀ ବିଜେପି ଘେରିବାର କୌଣସି ମୌକା ଛାଡ଼ୁ ନଥିବା ବେଳେ ନିର୍ବାଚନ କମିଶନ ମଧ୍ୟ ଘଟଣାକୁ ଗୁରୁତର ସହିତ ନେବା ସହ ରିପୋର୍ଟ ତଲବ କରିଛନ୍ତି । ତେବେ ସାଧ୍ବୀ ପ୍ରଜ୍ଞା କିନ୍ତୁ ନଛୋଡ଼ବନ୍ଦା ।

ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଛାଡ଼ି ସାଧ୍ବୀ ପ୍ରଜ୍ଞା ନିଜ ପୋଷ୍ଟରେ ଗୋଲ୍‌ ବର୍ଷିବାରେ ଲାଗିଛନ୍ତି । ତଥାପି ଆଶା ରଖିଛନ୍ତି ସେ ବିରୋଧୀଙ୍କୁ ହରାଇବେ, ରାମ ମନ୍ଦିର ବନାଇବେ । ମଧ୍ୟପ୍ରଦେଶରୁ ବିଜେପି ମାଲେଗାଓଁ  ବ୍ଲାଷ୍ଟର ଏହି ଅଭିଯୁକ୍ତ, ତଥା ସଂଘ ପରିବାରର ନେତ୍ରୀ ସାଧ୍ବୀ ପ୍ରଜ୍ଞାଙ୍କୁ କଂଗ୍ରେସର ଦିଗବିଜୟ ସିଂହଙ୍କ ବିରୋଧରେ ପ୍ରାର୍ଥୀ କରିଛି । ବୟାନ ନମ୍ବର ୧ – ମାଲେଗାଓଁ ବିସ୍ଫୋରଣ ମାମଲାରେ ତାଙ୍କୁ ଗିରଫ କରାଯାଇ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏମିତି କହି ସେ କାନ୍ଦି ପକାଇଥିଲେ।   

ବୟାନ ନମ୍ବର ୨ - ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କର୍‌କରେଙ୍କ ମୃତ୍ୟୁ ତାଙ୍କ ଅଭିଶାପରୁ ହେଲା

ସାଧ୍ବୀପ୍ରଜ୍ଞାଙ୍କର ଏହି ବୟାନ ସାରାଦେଶରେ ଝଡ଼ ସୃଷ୍ଟି କରିବା ପରେ ନିଜେ ସେ ଏହି ବୟାନକୁ ଫେରାଇନେଇଥିଲେ ଏବଂ କ୍ଷମାପ୍ରାର୍ଥନା କରିଥିଲେ।

ବୟାନ ନମ୍ବର ୩ – ବାବ୍ରିମସଜିଦ ଭଙ୍ଗା ପାଇଁ ମୁଁ ଗର୍ବିତ ଏବଂ ରାମମନ୍ଦିର ନିଶ୍ଚୟ ସେହିଠାରେ ହିଁ ବନାଇବୁ।

ସାଧ୍ବୀ ପ୍ରଜ୍ଞାଙ୍କର ଏଭଳି ବିବାଦିତ ବୟାନକୁ ନିର୍ବାଚନ କମିଶନ ଗୁରୁତର ସହିତ ନେଇଥିବା ବେଳେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ସେପଟେ  ପ୍ରଜ୍ଞାଙ୍କ ବୟାନଙ୍କୁ ନେଇ ଆରମ୍ଭ ହୋଇଯାଇଛି  ଯୁଦ୍ଧ । କଂଗ୍ରେସ ମହାସଚିବ ତାଙ୍କ ବୟାନକୁ ନେଇ ଖଡଗହସ୍ତ ହୋଇଥିବା ବେଳେ ବିଜେପି ଉପରେ ସିଧା ହମଲା କରିଛନ୍ତି । ସେହିପରି ଅନ୍ୟ ବିରୋଧୀ ଦଳଗୁଡ଼ିକ ପ୍ରଜ୍ଞାଙ୍କ ବାହାନାରେ ବିଜେପି ଉପରେ ନିଶାନା ସାଧିଛନ୍ତି। ଯଦିଓ ବିଜେପି ଏହାକୁ ପ୍ରଜ୍ଞାଙ୍କ ନିଜସ୍ବ ମତ କହି ଝାଡ଼ିଝାଡ଼ି ହୋଇଯାଇଛି, ତେବେ ତାଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସେପଟେ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ କୋର୍ଟରେ ମାମଲା ଜାରି ରହିଥିବାରୁ ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାନଯିବାକୁ ତାଙ୍କ ବାପା ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ। ତେବେ ସାଧ୍ବୀ ପ୍ରଜ୍ଞା ପ୍ରାର୍ଥୀ ହେବା ଏବଂ ବିବାଦୀୟ ବୟାନ ଦେଇ ଭୋଟ କାଟିଛନ୍ତି କି ବିରୋଧୀଙ୍କୁ ହରାଉଛନ୍ତି ତାହା ନିର୍ବାଚନରେ ଜନତା ଜଣାଇବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.