ଗୋଷ୍ଠୀ କରିବା ବିଜୟଙ୍କ ଡିଏନ୍‌ଏରେ ରହିଛି, ସିବିଆଇ ମାମଲାରୁ ଖସିବାକୁ ଚାହୁଁଥିଲେ ଦିଲ୍ଲୀପ : ବିଜେପି

Published By : Prameya-News7 Bureau | November 30, 2018 IST

ଭୁବନେଶ୍ବର ୩୦|୧୧: ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପ୍ରସଙ୍ଗରେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି ବିଜେପି । ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜୟ ମହାପାତ୍ର ଯେଉଁ ଦଳକୁ ଯାଆନ୍ତି ସେ ଦଳରେ ଗୋଷ୍ଠୀ କରିବା ସହ ଏକ ବିଭ୍ରାଟ କରନ୍ତି । ଏହା ତାଙ୍କ ଡିଏନଏରେ ରହିଛି । ସେହିଭଳି ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ କାରଣରୁ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଉରକେଲାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ, ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ଇସ୍ୟୁ କେବଳ ଲୋକ ଦେଖାଣିଆ ବୋଲି ସମୀର କହିଛନ୍ତି । ଦିଲ୍ଲୀପ ରାୟ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତିରେ ସାମିଲ ଥିବାରୁ ୟୁପିଏ ସରକାର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ । ସେହି ମାମଲାରୁ ଖସିବା ପାଇଁ ଦିଲ୍ଲୀପ ଚାହୁଁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରା 'ଖାଉଙ୍ଗା ନା ଖାନେ ଦୁଙ୍ଗା' ଦିଲ୍ଲୀପଙ୍କୁ ଅଡୁଆରେ ପକାଇଥିଲା । ଦୁର୍ନୀତି ପ୍ରସଙ୍ଗରେ ଦଳ ତାଙ୍କୁ କୌଣସି ସହାୟତା କରିବନାହିଁ ବୋଲି  ସେ ଜାଣିସାରିଥିଲେ । ତେଣୁ ସେ ଇସ୍ତଫା ଦେଲେ ବୋଲି ବିଜେପି କହିଛି । ଘର ଭିତରେ ରହି ଘର ବିରୋଧରେ କାମ କରିବା ଏ ଦୁଇ ନେତାଙ୍କ ଅଭ୍ୟାସରେ ପଡିଯାଇଥିଲା ବୋଲି ମଧ୍ୟ ସମୀର କହିଛନ୍ତି । ଦୀର୍ଘଦିନରୁ ଏମାନେ ଦଳ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଥିଲେ । ବିଜେପି କିନ୍ତୁ ବିଜୟ ମହାପାତ୍ରଙ୍କୁ ସମସ୍ତ ସମ୍ମାନ ଓ ସୁବିଧା ପ୍ରଦାନ କରୁଥିଲା । ବିଜୟ ମହାପାତ୍ରଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରାଯାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟକାରିଣୀରେ ଯୋଗଦେଉନଥିଲେ । ୩ଟି କାର୍ଯ୍ୟକାରିଣୀରେ ଯୋଗନଦେଲେ କାର୍ଯ୍ୟକାରିଣୀ ସଦସ୍ୟ ପଦ ରଦ୍ଦ ହେବା ନିୟମ ରହିଥିଲେ ମଧ୍ୟ ବିଜୟଙ୍କ କ୍ଷେତ୍ରରେ ତାହା କରାଯାଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.