ସରକାରକୁ ଆସିଲେ ପ୍ରତି ପରିବାରର ଜଣକୁ ନିଯୁକ୍ତି-ଆତ୍ମନିଯୁକ୍ତି ଦିଆଯିବ ବୋଲି କହିଲା ବିଜେପି

Published By : Prameya-News7 Bureau | April 13, 2019 IST

ଭୁବନେଶ୍ୱର ୧୩/୦୪ : ୧୯ ବର୍ଷ ଶାସନରେ ଥିବା ନବିନ ବାବୁଙ୍କର ବିଜୁ ଜନତା ଦଳର ସରକାର ଯୁବକ ଯୁବତିମାନଙ୍କୁ ପ୍ରତାରଣା କରିଛନ୍ତି । ସାରା ରାଜ୍ୟରେ ଆଜି ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ନବୀନ ପଟ୍ଟନାୟକଙ୍କ ୧୯ ବର୍ଷ ଶାସନରେ ଯଦି କେହି ବେଶି ପ୍ରତାରିତ ହୋଇଛି ସେ ହେଉଛନ୍ତି ଓଡିଆ ଯୁବକ ଯୁବତୀ ମାନେ । ୨୦୦୦ ମସିହାରେ ଯେଉଁ ଯୁବକ ଯୁବତୀ ଭୋଟର ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଅବସ୍ଥାପତି କରିଥିଲେ ସେ ଯୁବକ ଯୁବତୀଙ୍କ ବୟସ ଏବେ ୩୭ ବର୍ଷ । ତେବେ ୨୦୦୦ ମସିହାରେ ଯୁବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପ୍ରତାରଣାରେ ପରିଣତ ହୋଇଛି । ବିଜେଡିର ସରକାର ନା ଶିଳ୍ପ
ପ୍ରତିଷ୍ଠା କରି ନିଯୁକ୍ତି ଦେଇପାରିଲେ ନା ଆତ୍ମ ନିଯୁକ୍ତି ପାଇଁ ପ୍ରୋସ୍ତ୍ରାହନ ଯୋଗାଇ ପାରିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠି ।


ତ୍ରିପାଠି କହିଛନ୍ତି ଯେ ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬,୪୫୦ ଜଣଙ୍କୁ । ନିଯୁକ୍ତି ହାର ମାତ୍ର ୧% । ୨୦୦୯ରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ଅଣକୁଶଳି ଓ ଅର୍ଦ୍ଧକୁଶଳି ଶ୍ରମିକମାନଙ୍କ କ୍ଷେତ୍ରରେ ୯୦% ସ୍ଥାନରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ । ସେହିପରି କୁଶଳି କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ । ହେଲେ ରାଜ୍ୟରେ ବଡ କାରଖାନା ଯାହା ବି ଅଛି ବିଜୁ ଜନତା ଦଳର ନେତା ମନ୍ତ୍ରୀ ମାନେ ତାଙ୍କ ସହିତ ସଲାସୁତୁରା କରି ପିସି କାରବାର କରି ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି । ଓଡିଆ ପିଲାଙ୍କୁ ମିଳିନି ନିଯୁକ୍ତି ।

ଓଡିଶାରେ ବିଜେପିର ସରକାରକୁ ଆସିଲେ ଆମେ ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ବାଆତ୍ମନିଯୁକ୍ତି ଯୋଗାଇ ଦେବୁ । ୩, ୫୦୦ କୋଟି ଟଙ୍କାର ଏକ ‘ ସ୍କିଲ୍ ଓଡ଼ିଶା ପାଣ୍ଠି’ ଗଠନ କରି ଆଗାମୀ ୫ ବର୍ଷରେ ରାଜ୍ୟର ୨୦ ଲକ୍ଷ ଯୁବକ/ଯୁବତୀଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦିଆଯିବ । ୩୦୦୦ କୋଟି ଟଙ୍କାର ଏକ ରିଭଲ୍ଭିଂ ଫଣ୍ଡ ଜରିଆରେ ଆମେ ରାଜ୍ୟର ଯୁବପିଢିର ଆତ୍ମନିଯୁକ୍ତି ପାଇଁ ୧% ସୁଧ ହାରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଯୁବପିଢି ମଧ୍ୟରେ ଉଦ୍ୟମିତାର ଓ ନୂଆ ବ୍ୟବସାୟିକ ଚିନ୍ତାଧାରା ଆଣିବା ପାଇଁ ୧୦୦୦ କୋଟି ଟଙ୍କାର ଏକ ‘ଧର୍ମପଦ ଷ୍ଟାର୍ଟଅଫ୍ ଫଣ୍ଡ’ ଗଠନ କରାଯିବ ବୋଲି ଟଙ୍କଧର କହିଛନ୍ତି ।


୧୦ଟି ଆବାସିକ କୋଚିଂ ଇନ୍ଷ୍ଟିଚ୍ୟୁଟ ପ୍ରତିଷ୍ଠା କରାଯିବ ଯେଉଁଥିରେ ସରକାରି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମାଗଣା ତାଲିମ ଦିଆଯିବ ବୋଲି ଶ୍ରୀ ତ୍ରିପାଠି କହିଛନ୍ତି । ମେକ ଇନ ଓଡିଶାରେ ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତି କେତେ ବାଟ ଯାଇଛି ? ଡେରାଶରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କର ସ୍ଥିତି ଏବେ କଣ ଅଛି ମୁଖ୍ୟମନ୍ତ୍ରୀ କୁହନ୍ତୁ । କାହିଁକି ସେସବୁ ଆରମ୍ବ ହୋଇ ପାରିଲା ନାହିଁ ? ଓଡିଶା କନକ୍ଲେଭରେ
କେତେ ଟଙ୍କାର ପୁଂଜି ନିବେଶ ହେଲାଣି ତାହାର ତଥ୍ୟ ସରକାର କାହିଁକି ଦେଉନାହାନ୍ତି ବୋଲି ଶ୍ରୀ ତ୍ରିପାଠି ପ୍ରଶ୍ନ କରିଛନ୍ତି ।


ବିଜେପି ସରକାରକୁ ଆସିଲେ ଓଡିଶାକୁ ଦକ୍ଷିଣ-ପୂର୍ବ ଏସିଆର ସମସ୍ତ ପ୍ରକାର ବ୍ୟବସାୟୀକ କାରବାରର ପ୍ରମୁଖ ଭାବରେ ଗଢି ତୋଳିବାକୁ ଆମେ ରାଜ୍ୟର ଯୋଗାଣ କ୍ଷେତ୍ରକୁ ବିଶ୍ୱ ସହ ସଂଯୋଗ କରାଇବୁ । ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ଓିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥାର ବାସ୍ତବ ରୂପାୟନ କରିବା ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଆବେଦନକୁ ମାତ୍ର ୩୦ ଦିନ ଏବଂ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ୬୦ ଦିନ ମଧ୍ୟରେ ମଂଜୁରି କରାଯିବ । ପ୍ରତି ଜିଲ୍ଲାରେ ଏକ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଅକାମୀ ହୋଇପଡିଥିବା କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ଗୁଡିର ପୁନଃଉଦ୍ଧାର ପାଇଁ ଏମଏସଏସଇ ରିଜୁଭେନେସନ ଟାସ୍କ ଫୋର୍ସ ଓ ରିଭଲଭିଙ୍ଗ କଂଟିଜେନସି କ୍ରେଡିଟ ଫଣ୍ଡ ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଟଙ୍କଧର କହିଛନ୍ତି ।


ତ୍ରିପାଠି କହିଛନ୍ତି ଯେ ନୁଆ ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ଯୋଗାଇବା ପ୍ରସଙ୍ଗରେ ବି ବିଜୁ ଜନତା ଦଳର ସରକାର ଫେଲ । ନୁଆ ବ୍ୟବସାୟ ସ୍ଥାପନା କରିବା ପାଇଁ ଓଡିଶା ଘରୋଇ କମ୍ପାନୀ ମାନଙ୍କର ଆସ୍ଥାଭାଜନ ହୋଇପାରୁନାହିଁ । ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର‌୍ୟାଙ୍କରେ କ୍ରମାଗତ ଭାବେ ଖସୁଛି ଓଡିଶା । ୨୦୧୫ରେ ଦେଶରେ ୭ମ ସ୍ଥାନରେ ଥିବା ବେଳେ ୨୦୧୬ରେ ଏହା ଖସି ୧୧ତମ ସ୍ଥାନକୁ ଆସିଥିବାବେଳେ ୨୦୧୭ରେ ଏହା ଆହୁରି ଖସି ୧୪ତମ ସ୍ଥାନକୁ ଖସି ଗଲାଣି । ନବିନ ବାବୁଙ୍କର ସରକାର ଦୀର୍ଘ୍ୟ ୧୯ ବର୍ଷ ନିରଙ୍କୁଶ କ୍ଷମତାରେ ଥାଇ ମଧ୍ୟ ନା ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପ୍ରତିଷ୍ଠା କରିପାରିଲେ ନା ଓଡିଆ ଯୁବମାନେ ଯେଉଁ ମାନେ ନିଜ ଉଦ୍ୟମରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି ସେମାନଙ୍କୁ ପୋସ୍ତ୍ରାହନ ଯୋଗାଇ ପାରିଲେ ।

ବିଜେପି ସରକାରକୁ ଆସିଲେ ଅନୁଗୁଳଠାରେ ଆଲୁମିନା ପାର୍କ ପ୍ରତିଷ୍ଠା, ଭଦ୍ରକଠାରେ ଏକ ମେଗା ବୟନଶିଳ୍ପ ପାର୍କ ପ୍ରତିଷ୍ଠା, ପାରାଦୀପ ପୋର୍ଟଠାରେ ଏକ ବିଶ୍ୱସ୍ତରୀୟ ୱେୟାର ହାଉସ, ପାରାଦୀପ ଠାରେ ଏକ ବିଶ୍ୱସ୍ତରୀୟ ଜାହାଜ ନିର୍ମାଣ କାରଖାନା ଓ ବନ୍ଦର ପ୍ରତିଷ୍ଠା କରାଯିବା ସେହିପରି ରାଜ୍ୟର ଆଦିବାସୀ ଅଂଚଳରେ ବିଶ୍ୱସ୍ତରୀୟ ବାୟୋ ଆଭିଏସନ ଫୁଏଲ ମାନ୍ୟୁଫାକଚରିଂ ଶିଳ୍ପ ପ୍ରତିଷ୍ଠା କରାଯିବ । ଝାରସୁଗୁଡାର ଧୁତ୍ର ଓ ଢେଙ୍କାନାଳର ମେରାମୁଣ୍ଡଳିଠାରେ କମନ ୟୁଜର ଫାସିଲିଟି ଫର ପେଟ୍ରୋଲିୟମ ପ୍ରଡକ୍ଟ ପ୍ରତିଷ୍ଠା ହେବ । ପାରାଦୀପଠାରେ ପ୍ରତିଷ୍ଠା ହୋଇଥିବା ରିଫାଇନାରୀ ବାର୍ଷିକ ୧୫ ମେଟ୍ରିକ ଟନରୁ ୨୫ ମେଟ୍ରିକ ଟନକୁ ବୃଦ୍ଧି କରାଯିବ । ପାରାଦୀପଠାରେ ଏକ ମେଗା ପ୍ଲାଷ୍ଟିକ ପାର୍କ, ଭୁବନେଶ୍ୱରରେ ଏକ ଏଲପିଜି ବଟଲିଂ ପ୍ଲାଂଟ, ଚଣ୍ଡିଖୋଲଠାରେ ଏକ ତୈଳ ସଂରକ୍ଷଣାଗାର ପ୍ରତିଷ୍ଠା କରାଯିବ ବୋଲି ତ୍ରିପାଠି କହିଛନ୍ତି ।


ତ୍ରିପାଠି କହିଛନ୍ତି ଯେ ରାଜ୍ୟରେ ଭାଜପା ସରକାରକୁ ଆସିଲେ ଆଇଟି, ଆଇଟିଇଏସ, ବିଗ୍ ଡାଟା, କ୍ଲାଉଡ କମ୍ପ୍ୟୁଟିଂ, ଆଇଓଟି ଏବଂ ଏଆଇ ଆଦି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରିବାକୁ ଓଡିଶାରେ ଥିବା ଆଇଟି ପଲିସର ପରିବର୍ତନ କରାଯିବ । ଓଡିଶାକୁ ବିଶ୍ୱର ଅନ୍ୟତମ ବଡ଼ ଔଷଧ ଉତ୍ପାଦନକାରୀ ରାଜ୍ୟରେ ପରଣତ କରିବା ପାଇଁ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଫାର୍ମାସ୍ୟୁଟିକାଲ ମାନୁଫାକ୍ଚ୍ୟୁରିଂ ପାର୍କ ପ୍ରତିଷ୍ଠା କରାଯିବ । ସମଗ୍ର ରାଜ୍ୟରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ଆମେ ଏକ ‘ସଫ୍ଟୱେୟାର ଆଣ୍ଡ ଟେକ୍ନୋଲୋଜି ପାର୍କ ଅଫ ଓଡିଶା କେର୍ପୋରେସନ’ ପ୍ରତିଷ୍ଠା କରିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.