ଓଡିଶାର ସୀମା ଅସୁରକ୍ଷିତ, ସୁରକ୍ଷା ଦେବାରେ ଓଡିଶା ସରକାର ବିଫଳ-ବିଜେପି

Published By : Prameya-News7 Bureau | September 11, 2021 IST

ଭୁବନେଶ୍ୱର ୧୧।୦୯: ଓଡିଶାର ସୀମା ଅସୁରକ୍ଷିତ । ରାଜ୍ୟର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳରେ ସୀମା ବିବାଦ ଲାଗିରହିଛି । ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାରଖଣ୍ଡ ବିଭିନ୍ନ ସମୟରେ ଓଡିଶା ଭିତରେ ପଶି ବିଭିନ୍ନ ଅଞ୍ଚଳକୁ ଅକ୍ତିଆର କରିଛନ୍ତି । ଏନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୃବକ୍ସି ପାତ୍ର ।

ଓଡିଶା ସରକାର ସୀମାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି । ୧୯୩୬ରୁ ଆଜି ପର୍ଯ୍ୟନ୍ତ ଦେଶରେ ଯଦି କୌଣସି ପ୍ରଦେଶ ନିଜ ସୀମାକୁ ସୁରକ୍ଷା ଦେବାରେ ଓଡିଶା ବିଫଳ ହୋଇଛି । କୋର୍ଟରେ ନିଜର ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରୁନାହାନ୍ତି ରାଜ୍ୟ ସରକାର । ପଡୋଶୀ ରାଜ୍ୟ ଜୋର ଜବରଦସ୍ତ ଅନୁପ୍ରବେଶ ଅଧିକ ବଢ଼ିଛି । ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ରପ୍ରଦେଶ । ଫେବୃଆରୀ ୨୧ ତାରିଖରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଯାଇଥିଲା । ସେତେବେଳେ ସେମାନେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିଲେ ।

ସେହିପରି ଆନ୍ଧ୍ର ସରକାର କିଛି ଦିନ ତଳେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିଲେ । ୬ ଓ ୭ ତାରିଖ ଦିନ ଓଡିଶା ଅଧିକାରୀ ମାନେ ଖବର ପାଇ ଅଙ୍ଗନବାଡି କେନ୍ଦ୍ର ସିଲ କଲେ । ୨ ଦିନ ତଳେ ୯ ତାରିଖ ଦିନ ମାଣିକପାଟଣା ଗାଁ ଗଙ୍ଗାବାଡ଼ ପଞ୍ଚାୟତ ରାୟଗଡ଼ ବ୍ଲକ ଠାରେ ଆନ୍ଧ୍ରର ମନ୍ତ୍ରୀ ଅପଲ ରାଜୁ ପୋଲିସ ଓ ସରକାରୀ ଅଧିକାରୀଙ୍କୁ ନେଇ ପହଁଚିଲେ । ସେଠାକାର ଲୋକଙ୍କୁ ପ୍ରଭାବିତ କଲେ । ସ୍ଥାନୀୟ ଗାଁର କିଛି ଲୋକଙ୍କୁ ଦରମା ଦେଇ ଆନ୍ଧ୍ର ସେମାନଙ୍କ ଯୋଜନା ପ୍ରଚାର କରିବାରେ ଲାଗିଛନ୍ତି । ମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି ସେଠାରେ ପହଁଚିଲେ । ଓଡିଶା ସରକାର ସେ ଖବର ପାଇ ନଥିଲେ ।

ଓଡିଶା ସୀମାକୁ ନେଇ ୨୦ ବର୍ଷର ଶାସନ ଭିତରେ ମୁଖ୍ୟମନ୍ତ୍ରୀ ସ୍ତରୀୟ କଥା ହୋଇନାହାନ୍ତି । ଦୁଇ ରାଜ୍ୟ ବସି ପ୍ରସ୍ତୁତ ହୋଇଥିବା ମ୍ୟାପରେ ଓଡିଶା ସୀମାରେ ମାଣିକ ପାଟଣା ଗାଁ ଅଛି । ବହୁ ବାଦ ବିବାଦ ପରେ କୋଟିଆରେ ରାଜ୍ୟ ସରକାର ଗୋଟିଏ ପୋଲିସ ଷ୍ଟେସନ ପ୍ରତିଷ୍ଠା କଲେ । କିନ୍ତୁ ଆଜି ଯାଏଁ ଥାନା ଉଦଘାଟନ କରିପାରିଲେ ନାହିଁ । ଗୁଡ଼ିଖୁଡ଼ି ଗାଁରେ ଆନ୍ଧ୍ର ବିଭିନ୍ନ ପ୍ରକଳ୍ପ କରିଛି ।

ଆନ୍ଧ୍ରର ପରବର୍ତ୍ତୀ ଟାର୍ଗେଟ ଗୁଡ଼ିଖୁଡି ଗାଁ । ସାଧାରଣ ଲୋକଙ୍କ ପାଖରେ ଖବର ଅଛି । କିନ୍ତୁ ଓଡିଶା ସରକାରଙ୍କ ଗୁଇନ୍ଦା ପାଖରେ ଖବର ନାହିଁ । ଦକ୍ଷିଣ ଓଡିଶାର ସମସ୍ତ ସୀମାନ୍ତ ଗାଁରେ ଆଦିବାସୀ ଲୋକ ରହୁଛନ୍ତି । ସେମାନଙ୍କୁ ପ୍ରଲୋଭନ ଦେଇ ଆନ୍ଧ୍ର ସରକାର ପ୍ରଭାବିତ କରୁଛି । ସେଠାକାର ଜଣେ ମହିଳା ତହସିଲଦାର ଆନ୍ଧ୍ର ସରକାର ସହ ଲଢୁଛନ୍ତି । କିନ୍ତୁ ଓଡିଶା ସରକାର ତାଙ୍କୁ ସୁରକ୍ଷା ଦେଉନାହାନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ସୀମା ସୁରକ୍ଷା କମିଟି ଗଠନ କରିଛି ।

ସବୁ ସୀମାନ୍ତ ଗାଁ ଗୁଡ଼ିକର ସର୍ଭେ କରାଯାଉ । କାହା ପାଖରେ ରାସନ କାର୍ଡ, ପିଇବା ପାଣି, ଜମି ପଟ୍ଟା ଅଛି ଯାଞ୍ଚ କରାଯାଉ । ରାଜ୍ୟ ସରକାର ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ବୋଲି ବିଜେପି ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.