‘Surender Modi’ ଉପରେ ରାହୁଲଙ୍କୁ ନଡ୍ଡାଙ୍କ ଜବାବ- ଏବେ ଭଗବାନ ମଧ୍ୟ କଂଗ୍ରେସ ସହିତ ନାହାନ୍ତି
21/06/2020 at 9:40 PM

ଲକ୍ଷ୍ନୌ ୨୧।୦୬: କେନ୍ଦ୍ର ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଅଲଗା ଅଲଗା ରାଜ୍ୟରେ ଭର୍ଚୁଆଲ ରାଲି ଆୟୋଜନ କରୁଛି। ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତର ପ୍ରଦେଶରେ ପ୍ରଥମ ଭର୍ଚୁଆଲ ରାଲିକୁ ସମ୍ଵୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ନଡ୍ଡା କହିଛନ୍ତି କଂଗ୍ରେସ ସହିତ ତ ଆଜିକାଲି ଭଗବାନ ମଧ୍ୟ ନାହାନ୍ତି।
ଗଲଓ୍ଵାନ ଉପତ୍ୟକାରେ ଚୀନ ସହିତ ଭାରତର ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀ କ୍ରମାଗତ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି। ରବିବାର ଟ୍ଵିଟ୍ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସରେଣ୍ଡର ମୋଦୀ(Surender Modi)ର ଆଖ୍ୟା ଦେଇଥିଲେ। ମାତ୍ର ତାଙ୍କ ଟ୍ଵିଟ୍ରେ ଶବ୍ଦର ଭୁଲ୍ କାରଣରୁ ‘ସରେଣ୍ଡର’କୁ ବିଜେପି ସମର୍ଥକ ‘ସୁରେନ୍ଦ୍ର’ ଭାବେ ନେଇଛନ୍ତି, ଯାହାର ଅର୍ଥ ସୁରଙ୍କ ରାଜା। ରାହୁୁଲଙ୍କ ଟ୍ଵିଟ୍ରେ ସରେଣ୍ଡର ଭୁଲ୍ ଲେଖା ହୋଇଛି।
ଭର୍ଚୁଆଲ ରାଲିରେ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ଏବେ ତ କଂଗ୍ରେସ ସହିତ ଭଗବାନ ମଧ୍ୟ ନାହାନ୍ତି। ନରେନ୍ଦ୍ର ମୋଦୀ ଇଜ୍ ସୁରେନ୍ଦ୍ର ମୋଦୀ। ସେ କେବଳ ନରଙ୍କ ନେତା ନୁହନ୍ତି ସୁରଙ୍କ ମଧ୍ୟ ନେତା। ଆପଣଙ୍କ କଥାରୁ ଏହି କଥା ବୁଝିବା ଉଚିତ୍। ଏଥିପାଇଁ ଭଗବାନ ମଧ୍ୟ ଏବେ ଶୁଭ ଚିନ୍ତା କରୁଛନ୍ତି, ଏହି କଥାକୁ ଆପଣ ବୁଝିବା ଉଚିତ୍।
ଉଲ୍ଲେଖନୀୟ ରାହୁଲ ଗାନ୍ଧୀ ରବିବାର ସକାଳେ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ‘ସରେଣ୍ଡର ମୋଦୀ’ ଆଖ୍ୟା ଦେଇଥିଲେ। ରାହୁଲ ଜାପାନ ଟାଇମ୍ସରେ ଛପି ଥିବା ଏକ ଓପିନିୟନକୁ ସେୟାର କରି ଏହି ଟିପ୍ପଣୀ କରିଥିଲେ। ବିଜେପି ରାହୁଲଙ୍କ ଏହି ଟ୍ଵିଟ୍ ଉପରେ କଡା ପ୍ରତିକ୍ରିୟା ଦେଇଥିଲା। ପାର୍ଟି ରାଷ୍ଟ୍ରୀୟ ମୁଖପାତ୍ର ଶାହାନଓ୍ଵାଜ ହୁସେନ ଏକ ଭିଡିଓ ଜାରି କରି ରାହୁଲ ଗାନ୍ଧୀ ମର୍ଯ୍ୟାଦା ଭାଙ୍ଗୁଛନ୍ତି। ଅନେକ ବିଜେପି ନେତା ରାହୁଲଙ୍କ ଏହି ଟ୍ଵିଟ୍ ନିନ୍ଦନୀୟ ବୋଲି କହିଛନ୍ତି।