ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ; ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବେ
24/09/2018 at 9:19 AM

ଭୁବନେଶ୍ବର ୨୪|୯: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପୁରୀରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗଦେବେ । ଶାହ ଆସିବା ପୂର୍ବରୁ ଟ୍ଵିଟର୍ ଯୋଗେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି । ଆୟୁଷ୍ମାନ୍ ଭାରତକୁ ଓଡ଼ିଶା ସରକାର ଲାଗୁ କରୁ ନ ଥିବାରୁ ତାହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ଦୁଇଟି ସଭାରେ ସିଧାସଳଖ ସମାଲୋଚନା କଲେ। ଠିକ୍ ଏହି ସମୟରେ ଦଳକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ମାର୍ଗଦର୍ଶନ ଦେବେ। ସେ ମୋଦୀଙ୍କ ଠାରୁ ଆଉ ଦୁଇ ପାଦେ ଆଗକୁ ଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ବୋଲି ତାଙ୍କ ଟ୍ଵିଟ୍ ରୁ ଆଭାସ ମିଳୁଛି। ଆଜି ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଯିବେ। ଭୁବନେଶ୍ବର-ପୁରୀ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ସେ ଅପରାହ୍ନ ୩ଟାରେ ହୋଟେଲ୍ ଗୋଲ୍ ଡେନ୍ ପ୍ୟାଲେସ୍ ଠାରେ ମହିଳା କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ ଭି ସିଂହଦେଓଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।