ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ, ରୋଡମ୍ୟାପ୍ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡିଲା ବିଜେପି

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୬: ଆଗାମୀ ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଜରିଆରେ ବିଜେପି ନିର୍ବାଚନ ଲାଗି ରୋଡ ମ୍ୟାପ୍‌ ପ୍ରସ୍ତୁତି କରିବାକୁ ଏବେ ଅଣ୍ଟା ଭିଡିଛି।  ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ଶାଖାମାନଙ୍କୁ ଚିନ୍ତନ ଶିବିର ଆୟୋଜନ ସମେତ ରଣନୀତି ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଜୁଲାଇ ୧୦ ସୁଧା ନିର୍ବାଚନକୁ ଯାଉଥିବା ରାଜ୍ୟମାନଙ୍କର ବିଜେପି ଶାଖା ଜାତୀୟ ସଭାପତିଙ୍କୁ ସେମାନଙ୍କର ରଣନୀତି ପ୍ରସ୍ତାବ କରିବେ।

ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ୫ରୁ ୪ଟି ରାଜ୍ୟରେ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ଓ ସହଯୋଗୀଙ୍କ ସରକାର ରହିଛି। ଏଣୁ ଦଳ ଲାଗି ଏହି ସବୁ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ଏତେ କଷ୍ଟକର ନ ହୋଇପାରେ ବୋଲି ଆକଳନ କରାଯାଉଛି। ତେବେ ରାଜ୍ୟସ୍ତରୀୟ ବୈଠକ ପରେ ଛୋଟ ଛୋଟ ଟିମ୍‌ରେ ବିଜେପି ରାଜ୍ୟ ଶାଖା କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ ଯାଇ ନିର୍ବାଚନ ପ୍ରସ୍ତୁତିର ରିପୋର୍ଟ କରିବେ। ସେହି ଅନୁଯାୟୀ ଦଳ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ବିଜେପି ନିଜର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିବ ବୋଲି ଅନୁମାନ କରାଯାଉଛି।

ତେବେ ଗତ ବିଧାନସଭା ନିର୍ବାଚର ତ୍ରୁଟି ଏଥର ବିଜେପି ଦୋହରାଇବାକୁ ଚାହଁନା। ଏଣୁ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ପ୍ରଶିକ୍ଷଣ ଉପରେ ଦଳ ଜୋର ଦେଉଛି। ସେହି ଅନୁସାରେ ବିଜେପି ପ୍ରଶିକ୍ଷଣ ଓ ବୌଦ୍ଧିକ ଲାଗି ଏକ ବିସ୍ତୃତ ସୂଚୀ ପ୍ରସ୍ତୁତ କରିଛି। ଏଣୁ ସାଙ୍ଗଠନିକ ଗତିବିଧି ଲାଗି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଅଣ୍ଟାଭିଡିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁସାରେ ବିଜେପି ରାଜ୍ୟ ଶାଖାମାନଙ୍କୁ ୨୧ରୁ ୩୦ ଜୁଲାଇ ମଧ୍ୟରେ କାର୍ଯ୍ୟକାରୀ ପରିଷଦର ଅନଲାଇନ ବୈଠକ କରିବାକୁ କୁହାଯାଇଛି।

ଜାତୀୟ ସ୍ତରର ପ୍ରଶିକ୍ଷଣ ଶିବିର ପ୍ରତି ରବିବାର ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଆୟୋଜନ କରାଯିବ। ସେହିପରି ରାଜ୍ୟସ୍ତରୀୟ ବୈଠକ ମଙ୍ଗଳବାର ଓ ବୁଧବାର ସକାଳ ୧୦ଟାରୁ ଆରମ୍ଭ କରିବାକୁ କାର୍ଯ୍ୟସୂଚୀ ସ୍ଥିରିକୃତ ହୋଇଛି। ବରିଷ୍ଠ ବିଜେପି ନେତା ଦୁଷ୍ୟନ୍ତ ଗୌତମ ଓ ମୂରଲୀଧର ରାଓ ଏହି ସବୁ ପ୍ରଶିକ୍ଷଣ ଶିବିର ସଂଯୋଜନା କରିବେ। ସେହି ଅନୁସାରେ ପାର୍ଟି ରାଜ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଓ ଅନ୍ୟ ପ୍ରସ୍ତୁତିରେ ଲାଗିପଡିବାକୁ ନିର୍ଦ୍ଦେଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.