ଭୋଟ୍ ଗଣତି ଜାରି, ଏପଟେ ବିଜେପି ଅଫିସରେ ପୋଷ୍ଟରକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧/୦୨- ଦିଲ୍ଲୀରେ ଭୋଟ ଗଣତି ଜାରି । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେପି ପୂର୍ବଥର ଅପେକ୍ଷା ଅଧିକ ଆସନର ସମ୍ଭାବନା ସୃଷ୍ଟି କରିଥିଲେ ବି ଅରବିନ୍ଦ କେଜରିୱାଙ୍କ ଆମ୍ ଆଦମୀ ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବାର ସଂକେତ ଆସୁଛି ।ଏକ୍ଜିଟ୍ ପୋଲ୍‌ ସତ ହେବା ସମ୍ଭାବନା ଭୋଟ ଗଣତିର ପ୍ରାରମ୍ଭିକ ରାଉଣ୍ଡରୁ ହିଁ ଆଶା କରାଯାଉଛି । ତଥାପି ଆଶା ଛାଡିନାହାନ୍ତି ଆପ୍‌କୁ ଟକ୍କର ଦେଉଥିବା ବିଜେପିର ନେତାଏ । ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ରେଜଲ୍ଟ ନେଇ ନର୍ଭସ ନଥିବା ଏବଂ ଏବେ ବି ତାଙ୍କ ଦଳ ଦିଲ୍ଲୀରେ ସରକାର ଗଢିବାର ଆଶା ଛାଡିନାହାନ୍ତି । ଯଦିଓ ସେ କହିଛନ୍ତି, ବିଜୟ ହେଉକି ପରାଜୟ ସବୁ ପାଇଁ ଦଳର ରାଜ୍ୟ ଶାଖା ମୁଖ୍ୟ ଭାବେ ସେ ଉତ୍ତରଦାୟୀ ।  ତେବେ ଏସବୁ ଭିତରେ ଆଉ ଏକ କଥାକୁ ନେଇ ବେଶି ଚର୍ଚ୍ଚା । ତାହା ହେଲା ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ପୋଷ୍ଟର । ସେହି ପୋଷ୍ଟର ଆଉ କାହାର ନୁହେଁ, ତାହା ହେଲା ବିଜେପିର ନମ୍ବର ଟୁ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ।

 ବିଜେପିର ଦିଲ୍ଲୀ ପ୍ରଦେଶ କାର୍ଯ୍ୟାଳୟରେ ଶାହାଙ୍କ ପୋଷ୍ଟରରେ ନୂତନତ୍ୱ କ’ଣ ?  ଅମିତ ଶାହାଙ୍କ ଛବି ନୂଆ ନୁହେଁ, ଚର୍ଚ୍ଚାର କାରଣ ହେଲା ପୋଷ୍ଟରରେ ଲେଖାଯାଇଥିବା କଥା । ପୋଷ୍ଟରରେ ଅମିତ ଶାହାଙ୍କ ଛବି ସହ ଲେଖା ଅଛି, “ ବିଜୟ ସେ ହମ ଅହଂକାରୀ ନେହିଁ ହୋତେ, ୱୋର ପରାଜୟ ସେ ହମ ନିରାଶା ନେହିଁ ହୋତେ “ । କାହିଁକି ଏପରି ଲେଖା ? ବିଜେପି କ’ଣ ପରାଜୟର ସଂକେତ ପାଇସାରିଛି ? ଗଣତି ପୂର୍ବରୁ ବିଜେପି ପରାଜୟକୁ ସ୍ବୀକାର କରିନେଇଛି କି ? କାରଣ ବିଜେପିର ଦିଲ୍ଲୀ ୟୁନିଟ ପକ୍ଷରୁ ହିଁ ଏହି ପୋଷ୍ଟର ଲାଗିଛି । ଅଥଚ, ଦିଲ୍ଲୀ ନେତାଏ ବିଜେପିର ଜିତ୍‌ ନେଇ ଦାବି କରୁଛନ୍ତି ।

 ମନୋଜ ତିୱାରି ଦିଲ୍ଲୀର ମୋଟ ୭୦ ବିଧାନସଭା ଆସନରୁ ୫୫ ସିଟ୍‌ ଜିତି ସରକାର ଗଢିବେ ବୋଲି ଦାବି କରୁଥିବା ବେଳେ, ପରେ ଟ୍ୱିଟ୍‌ କରି ୪୮ ଆସନରେ ଦଳ ଜିତିବାକୁ ଯାଉଥିବା ଦାବି କରିଥିଲେ । କିନ୍ତୁ ପ୍ରାରମ୍ଭିକ ଟ୍ରେଣ୍ଡ ପରେ ବିଜେପିର ଲିଡିମ ସିଟ କମିବାରେ ଲାଗିଥିଲା, ଯଦିଓ ଗତ ବିଧାନସଭା ନିର୍ବାଚନ ଅପେକ୍ଷା ବିଜେପି ଅଧିକ ଆସନ ପାଇବାର ସମ୍ଭାବନା ବେଶି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.