ଦିଗବିଜୟଙ୍କ ସଙ୍ଗୀନ ଆରୋପ, କଂଗ୍ରେସ ବିଧାୟକଙ୍କୁ ୩୫ କୋଟି ଟଙ୍କା ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି

Published By : Prameya-News7 Bureau | March 02, 2020 IST

ଭୋପାଳ ୦୨। ମାର୍ଚ୍ଚ- ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସୋମବାର ଭାରତୀୟ ଜତନା ପାର୍ଟି(ବିଜେପି) ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର କରିବାକୁ ଚେଷ୍ଟା କରୁଛି। କଂଗ୍ରେସ ବିଧାୟକଙ୍କୁ ୨୫ ରୁ ୩୫ କୋଟି ମୋଟା ଅଙ୍କର ଅର୍ଥ ଯାଚି ବିଜେପି ରାଜ୍ୟରେ କଂଗ୍ରେସ ସରକାରଙ୍କୁ ଭାଙ୍ଗିବାକୁ ପ୍ରୟାସ କରୁଛି।

ଦିଗବିଜୟ କହିଛନ୍ତି ଯେ, ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଏବଂ ନରୋତ୍ତମ ମିଶ୍ର ଉପ ମୁଖ୍ୟମନ୍ତ୍ରୀ  ହେବାର ସ୍ଵପ୍ନ ଦେଖୁଛନ୍ତି। ବିଜେପି ସରକାର ୧୫ ବର୍ଷର ଶାସନ କାଳରେ ରାଜ୍ୟକୁ ଲୁଟିଛନ୍ତି ଏବଂ ଏବେ କଂଗ୍ରେସ ବିଧାୟକଙ୍କୁ ୨୫ ରୁ ୩୫ କୋଟି ଟଙ୍କାର ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ହୀନ ପ୍ରୟାସ ଚଳାଇଛନ୍ତି। ବିଜେପି କଂଗ୍ରେସ ବିଧାୟକଙ୍କୁ ପ୍ରଥମ କିସ୍ତିରେ ୫ କୋଟି ଟଙ୍କା ଏବଂ ଦ୍ଵିତୀୟରେ ରାଜ୍ୟସଭାକୁ ପଠାଇବାର ଲୋଭ ଦେଖାଉଛି। ସରକାର ଗଠନ  ହେବା ପରେ ବାକି ଅର୍ଥ କଂଗ୍ରେସ ବିଧାୟକଙ୍କୁ ଦିଆଯିବ ବୋଲି ଦିଗବିଜୟ ସିଂହ ବିଜେପି ଉପରେ ଆରୋପ ଲଗାଇଛନ୍ତି।

ସିଂହ ଏହା ମଧ୍ୟ କହିଛନ୍ତି ଯେ, କର୍ଣ୍ଣାଟକ ପରି ବିଜେପି ମଧ୍ୟପ୍ରଦେଶରେ ଆମର ବିଧାୟକଙ୍କୁ କିଣି ପାରିବ ନାହିଁ। ମୁଁ ବିନା ପ୍ରମାଣରେ କୌଣସି ପ୍ରକାରର ଆରୋପ ଲଗାଏ ନାହିଁ। ଦିଗବିଜୟଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେବେ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ କରୁଛି।

ଏହି ଆରୋପ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ଗୋପାଳ ଯାଦବ କହିଛନ୍ତି ଯେ, କେହି ମଧ୍ୟ ମୋର ସଂସ୍ପର୍ଶରେ ନାହାନ୍ତି। ଯେଉଁ ଲୋକ ନିଜର ଅନ୍ତରଆତ୍ମାର ସ୍ଵରରେ ଅଭିନୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମୁଁ ସ୍ଵାଗତ କରୁଛି। ଯଦି ଦିଗବିଜୟଙ୍କ ପାଖରେ ପ୍ରମାଣ ଅଛି, ତେବେ ତାକୁ ସାର୍ବଜନୀନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.