ବେଙ୍ଗଲରେ ଜେପି ନଡ୍ଡାଙ୍କ ରଣହୁଙ୍କାର : ମମତାଙ୍କୁ ଟାର୍ଗେଟ୍, ‘ଚୌକି ଗଲାବେଳେ ଚାଷୀଙ୍କ କଥା ମନେପଡୁଛି’
9/01/2021 at 3:01 PM

କୋଲକାତା ୦୯/୦୧ : ପଶ୍ଚିମବଙ୍ଗ ରାଜନୀତିରେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ଏବେଠୁ ଲଢେଇ ଆରମ୍ଭ ହୋଇଗଲାଣି । ବିଜେପି କେନ୍ଦ୍ରୀୟ ନେତାଙ୍କ ଘନଘନ ବେଙ୍ଗଲ ଗସ୍ତ ଏହା ସୂଚାଉଛି । ସେପଟେ ଟିଏମସିର ବରିଷ୍ଠ ନେତା ଏବଂ କର୍ମୀ ଦଳ ଛାଡି ବିଜେପିରେ ଯୋଗ ଦେବା ଟିଏମସି ପାଇଁ ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହାରି ମଧ୍ୟରେ ପଶ୍ଚିମବଙ୍ଗର ବର୍ଦଓ୍ବାନ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠାରେ ଏକ ରାଲିକୁ ସମ୍ବୋଧନ କରିବା ସହ ସିଧାସଳଖ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନଡ୍ଡା । ଉକ୍ତ ରାଲିରେ ବେଙ୍ଗଲବାସୀଙ୍କୁ ସମ୍ବୋଧିତ କରିବା ସହ ପଶ୍ଚିମବଙ୍ଗରେ ବିଜେପି ସରକାର କରିବାକୁ ଯାଉଛି ବୋଲି କହିଛନ୍ତି । ନଡ୍ଡା କହିଛନ୍ତି ମମତା ବାନାର୍ଜୀ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁ ଲଗେଇ ଲୋକଙ୍କଚ ଭୂଆଁ ବୁଲାଉଛନ୍ତି । ଆଗାମୀ ଦିନରେ ଜନସାଧାରଣ ଏହାର ଜବାବ ଦେବେ ।
ଏହା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ହୃଦୟରେ ରହିଛନ୍ତି । ମମତାଙ୍କୁ ଟାର୍ଗେଟ୍ କରି ନଡ୍ଡା କହିଛନ୍ତି, ପଣ୍ଚିମବଙ୍ଗ ସରକାର ମା, ମାଟିକୁ ସମ୍ମାନ ଦେବା କଥା କହୁଥିଲେ କିନ୍ତୁ ମମତା ବାନାର୍ଜୀ ଦଙ୍ଗା, ହିଂସା ଏବଂ ତୁଷ୍ଟିକରଣ ପାଇଁ କାମ କରୁଛନ୍ତି । ନଡ୍ଡା କହିଛନ୍ତି ପଶ୍ଚିମଙ୍ଗ ସରକାର ଦୁର୍ନୀତିରେ ଏତେ ମାତ୍ରାରେ ଲିପ୍ତ ହୋଇଛନ୍ତି ଯେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଲାଞ୍ଚ ଦେବାକୁ ପଡୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, ମୋଦି ସରକାର ଚାଷୀମାନଙ୍କ ବଜେଟ୍ ୬ ଗୁଣା ବଢାଇଛନ୍ତି । ଏବେ ଚୌକି ଟଳମଳ ହେବାରୁ ମମତା ଚାଷୀଙ୍କ କଥା ଭାବୁଛନ୍ତି । ବେଙ୍ଗଲବାସୀ ନିଷ୍ପତ୍ତି ନେଇସାରିଛନ୍ତି ଯେ, ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ହିଁ ସରକାର ତିଆରି କରିବ ବୋଲି ଜେପି ନଡ୍ଡା କହିଛନ୍ତି ।