ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, କହିଲେ- ଦରକାର ପଡ଼ିଲେ କୋର୍ଟ ଯିବି

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦:  ଚାଷୀଙ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶର ପିଲିଭିଟର ବିଜେପି ସାଂସଦ ବରୁଣ ଗାନ୍ଧୀ ଲଗାତାର କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା ଦେଖିବାକୁ ମିଳୁଛି। ଶୁକ୍ରବାର ସେ ନିଜର ଟ୍ବିଟର ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଯଦି କୃଷକଙ୍କ ପ୍ରତି କୌଣସି ପ୍ରକାର ଭ୍ରଷ୍ଟାଚାର ହେଉଛି ତେବେ ସରକାରଙ୍କ ସାମ୍ନାରେ ହାତ-ଗୋଡ଼ ​‌ଯୋଡିବିନି, ସିଧା କୋର୍ଟ ଯିବି ବୋଲି ବରୁଣ ଗାନ୍ଧୀ ଚେତାବନୀ ଦେଇଛନ୍ତି । ଏହି ଭିଡିଓ ସେୟାର କରିବା ସହ କୃଷକ ନେତା ରାକେଶ ଟିକାୟତଙ୍କ ଏମଏସପି ଗ୍ୟାରେଣ୍ଟି ଆଇନ୍ ଦାବିକୁ ମଧ୍ୟ ସେ ସମର୍ଥନ ଜଣାଇଛନ୍ତି।

ସେ ଲେଖିଛନ୍ତି, ‘ଯେପର୍ଯ୍ୟନ୍ତ ଏମଏସପିକୁ ନେଇ ବୈଧାନିକ ଗ୍ୟାରେଣ୍ଟି ନହେବ ସେପର୍ଯ୍ୟନ୍ତ ମଣ୍ଡିରେ କୃଷକଙ୍କ ଶୋଷଣ ହେଉଥିବ। ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ।’  ଭିଡିଓ ମାଧ୍ୟମରେ ବରୁଣ କହିଛନ୍ତି, ‘ପିଲିଭିଟ ସମେତ ୧୭ ଜିଲ୍ଳାର କୃଷକ ନିଜର ଧାନ ଫସଲ ନିଆଁ ଲଗାଇ ନଷ୍ଟ କରିଦେଉଛନ୍ତି।ଏହା ପୂରା ଉତ୍ତରପ୍ରଦେଶର ପାଇଁ ଲଜ୍ଜାର ବିଷୟ।’  ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରି ବିଜେପି ସାଂସଦ କହିଛନ୍ତି, ‘ଆପଣମାନେ ସବୁ କଥାରେ ବାହାନା ଖୋଜୁଛନ୍ତି। ବିଭିନ୍ନ ପ୍ରକାର ବାହାନା କରି ଫସଲକୁ ରିଜେକ୍ଟ କରୁଛନ୍ତି। ନିଜର ବନ୍ଧୁ ବିକ୍ରେତମାନଙ୍କୁ ଏହାକୁ ୧୧-୧୨ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ସେମାନେ ପୁଣି ଥରେ ଆପଣମାନଙ୍କୁ ସେହି ଫସଲର ୧୯୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏମିତି ନେକ୍ସସ୍‌ ସମଗ୍ର ଦେଶରେ ଦେଖାଦେଉଛି।’

ଏହା ବ୍ୟତୀତ ବରୁଣ ଗାନ୍ଧୀ କର୍ମଚାରୀମାନଙ୍କୁ ତାଗିଦ କରିଛନ୍ତି , ପ୍ରତି କ୍ରୟ କେନ୍ଦ୍ରରେ ଜଣେ ଲେଖାଏଁ ପ୍ରତିନିଧି ରଖିବି । ଯଦି କର୍ମଚାରୀମାନେ କୃଷକଙ୍କୁ ଠକିବେ ତେବେ ସରକାରଙ୍କ ପାଖରେ ହାତ- ଗୋଠ ଯୋଡ଼ିବିନି ସିଧା କୋର୍ଟ ଯିବି । ଏହା ସହ ସମସ୍ତଙ୍କୁ ଗିରଫ କରାଇବି ବୋଲି ସେ କହିଛନ୍ତି। ଏହା ପୂର୍ବରୁ କୃଷକଙ୍କ ସମର୍ଥରେ ସରକାରଙ୍କୁ ଟାର୍ଗେଟ କରି ବରୁଣ ଗାନ୍ଧୀ ପ୍ରତିକ୍ରିୟା ଦେଇଥିଲେ। ସେହିଭଳି ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଦୋଷୀଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ହୋଇଥିଲେ ହେଁ ବରୁଣ ଗାନ୍ଧୀ ଦୋଷୀଙ୍କୁ ଗିରଫ ପାଇଁ ସ୍ବର ଉଠାଇଥିଲେ ।

ତେବେ ସରକାରଙ୍କ ବିରୋଧରେ ବାରମ୍ବାର ବୟାନବାଜି କରୁଥିବାରୁ ବିଜେପି ବରୁଣ ଗାନ୍ଧୀଙ୍କୁ ନିଜର ରାଷ୍ଟ୍ରୀୟ କାର୍ଯ୍ୟ ସମିତିରୁ ହଟାଇ ଦେଇଛି ବୋଲି କୁହାଯାଉଛି। ଏହା ବ୍ୟତୀତ ବରୁଣଙ୍କ ମା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ନାଁ ମଧ୍ୟ ଏହି ସୂଚୀରୁ ବାହାର କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.