ସାଂସଦଙ୍କ ପୁତ୍ର ନିଜେ ରଚିଥିଲେ ଗୁଳିମାଡର ନାଟକ, ଶାଳକ ଖୋଲିଦେଲେ ସବୁ ଗୁମର

Published By : Prameya-News7 Bureau | March 03, 2021 IST

ଲକ୍ଷ୍ନୌ,୦୩/ ୦୩:  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ ହୋଇଥିବା ଗୁଳିମାଡ ଘଟଣା ଏବେ ନୂଆ ମୋଡ ନେଇଛି । ପୋଲିସ ଏହି ମାମଲାରେ ବଡ ଖୁଲାସା କରିଛନ୍ତି । ଗୁଳିମାଡ କରିଥିବା ବ୍ୟକ୍ତି ସାଂସଦଙ୍କ ଶାଳକ । ଆୟୁଷଙ୍କ କଥାରେ ହିଁ ସେ ଗୁଳିମାଡ କରିଥିବା ପୋଲିସ କହିଛି।

ବୁଧବାର ସକାଳେ ଖବର ଆସିଥିଲା ଯେ, ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ଲକ୍ଷ୍ନୌର ମାଡିୟାବ କ୍ଷେତ୍ରର ଛଠାମୀଲରେ ଏହି ଘଟଣା ଘଟିଥିଲା । ଆହୁରି ମଧ୍ୟ କୁହାଯାଇଥିଲା ଯେ, ୩୦ ବର୍ଷୀୟ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ଗୁଳି ତାଙ୍କ ଛାତିରେ ବାଜିଥିଲା । ଏବେ ସେ ଗୁରୁତର ଅବସ୍ଥାରେ ଟ୍ରାମା ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି ।

ପୋଲିସ କହିଛି ଯେ, ଯିଏ ଗୁଳି ମାଡ କରିଛନ୍ତି ତାଙ୍କ ପାଖରେ ଗନ୍ ଲାଇସେନ୍ସ ଥିଲା । ରିଭଲଭରକୁ ଜବତ କରାଯାଇଛି । ଏହାସହ ଜେରା ବେଳେ ସାଂସଦଙ୍କ ଶାଳକ ସବୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି । ରାତି ପ୍ରାୟ ୨ଟା୧୦ରେ ଆୟୁଷଙ୍କୁ ଗୁଳି କରାଯାଇଥିଲା । ଗତ ବର୍ଷ ଆୟୁଷ ଲଭ୍ ମ୍ୟାରେଜ୍ କରିଥିଲେ । ଏହାପରେ ସେ ନିଜ ପିତାଙ୍କଠାରୁ ଅଲଗା ରହୁଥିଲେ ।

ଗିରଫ ଶାଳକ କହିଛନ୍ତି ଯେ, ଆୟୁଷ କାହାକୁ ଫସାଇବା କଥା ତାଙ୍କୁ କହିଥିଲେ । ୩ଜଣ ଯୁବକଙ୍କ ସହ ତାଙ୍କର କିଛି ଶତ୍ରୁତା ଥିଲା । ତେଣୁ ଆକ୍ରମଣ କରି ୩ ଯୁବକଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେ ଷଡଯନ୍ତ୍ର କରିଥିଲେ । କିନ୍ତୁ ପୋଲିସ ସିସିଟିଭି ପୁଟେଜ ଆଧାରରେ ତଦନ୍ତ କରିଥିଲା । ପୁଟେଜରେ ଘଟଣାସ୍ଥଳରେ କେବଳ ଶାଳକଙ୍କୁ ଦେଖିବା ପରେ ସମସ୍ତ ଘଟଣା ଉପରୁ ପରଦା ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.