ବିବାଦୀୟ ବିଜେପି ସାଂସଦ ପ୍ରଜ୍ଞା ଠାକୁର ପୁଣି ନିଆଁ ଲଗାଇଲେ - 'ବିଦେଶୀ ମହିଳାଙ୍କ ଠାରୁ ଜନ୍ମିତ ବ୍ୟକ୍ତି ଦେଶଭକ୍ତ ନୁହନ୍ତି'

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯/୦୬ : ମଧ୍ୟ ପ୍ରଦେଶ ଭୋପାଲ ଲୋକସଭାର ବିଜେପି ସାଂସଦ ପ୍ରଜ୍ଞା ଠାକୁର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ରବିବାର ଦିନ ତାଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ, ବିଦେଶୀ ମହିଳାଙ୍କ ଜନ୍ମ ନେଇଥିବା ବ୍ୟକ୍ତି ଦେଶଭକ୍ତ ହୋଇପାରିବ ନାହିଁ |

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ସମୟରେ ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଆଳରେ କଂଗ୍ରେସର ଆରୋପ ଉପରେ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, କଂଗ୍ରେସ ପ୍ରଥମେ ନିଜକୁ ଦେଖିବା ଉଚିତ | କଂଗ୍ରେସ ପାଖରେ ନା କଥା କହିବାର ସଭ୍ୟତା ଅଛି ନା ସଂସ୍କାର ଅଛି ନା କଂଗ୍ରେସ ଦଳରେ ଦେଶଭକ୍ତି ଅଛି | ଆଗକୁ ସେ କହିଛନ୍ତି, ଯଦି ଦୁଇ ଦେଶର ସଦସ୍ୟତା ନେଇ ରହିବେ ତାହେଲେ ଦେଶଭକ୍ତି କୁଆଡୁ ଆସିବ ? ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ହାତରେ ଅଛି |

ଅପରପକ୍ଷରେ କଂଗ୍ରେସ ମିଡିଆସେଲ ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ଜିତୁ ପଟୱାରୀ ମଧ୍ୟ ପ୍ରଜ୍ଞା ଠାକୁରଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି ଯେ, 'କୌଣସି ଦେଶଭକ୍ତ ଆତଙ୍କବାଦୀ ହୋଇପାରିବ ନାହିଁ | କୌଣସି ଗଡ୍ସେ ଭକ୍ତ ଦେଶଭକ୍ତ ହୋଇପାରିବ ନାହିଁ |' ପଟୱାରୀ ପରୋକ୍ଷ ଭାବେ ୨୦୦୮ ମସିହାରେ ମହାରାଷ୍ଟ୍ର ମାଲେଗାଓଁରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଜ୍ଞା ଠାକୁର ଜଣେ ବୋଲି ଉଲ୍ଲେଖ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.