ନୂଆଦିଲ୍ଲୀ ୧୨/୧୦ : ଦିଲ୍ଲୀରେ ଛଠ ପୂଜାକୁ ନେଇ ବିଜେପି ଦ୍ୱାରା ଆରମ୍ଭ ହୋଇଥିବା ରାଜନୀତି ବର୍ତ୍ତମାନ ସରଗରମ ହୋଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଧାରଣା ଦେଇଥିବା ବିଜେପି ସାଂସଦ ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦିଲ୍ଲୀ ସରକାର ଦ୍ୱାରା ଏଥର ମଧ୍ୟ ନଦୀ କୂଳରେ ଓ ସାର୍ବଜନିକ ସ୍ଥାନରେ ଛଠ ପୂଜା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉଠାଇବାକୁ ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ମନୋଜ ତିୱାରୀ ଚାପ ପକାଉଛନ୍ତି। ମନୋଜ ତିୱାରୀ ଛଠ ପୂଜା ସମାରୋହରେ ପ୍ରତିବନ୍ଧକ ଲଗାଇଥିବାରୁ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଯଦି ପ୍ରତିବନ୍ଧକ ନ ହଟାଯାଏ ତାହେଲେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରାଯିବ।
ଏହି ପ୍ରସଙ୍ଗରେ ଦିଲ୍ଲୀରେ ରହୁଥିବା ପୂର୍ଵାଚଲୀ ସମ୍ପ୍ରଦାୟର ଲୋକଙ୍କ ସହ କଥା ହୋଇ ସାର୍ବଜନିକ ସ୍ଥାନରେ ଛଠ ପୂଜା ଆୟୋଜିତ କରିବା ନେଇ ସେମାନଙ୍କ ମତାମତ ନେବାକୁ ମନୋଜ ତିୱାରୀ ଛଠ ଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଦିଲ୍ଲୀ ଛଠ ପୂଜା ସମିତିର ପଦାଧିକାରୀମାନେ ନିକଟରେ ମନୋଜ ତିୱାରୀଙ୍କୁ ସାକ୍ଷାତ କରି କୋଭିଡ ନିୟମ ପାଳନ କରି ଯମୁନା ନଦୀ କୂଳରେ, ପୋଖରୀରେ ଓ ଅନ୍ୟାନ୍ୟ ସାର୍ବଜନିକ ସ୍ଥାନରେ ପୂଜା କରିବାକୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀ ସରକାର ଦିଲ୍ଲୀରେ କୋଭିଡ-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସାର୍ବଜନିକ ସ୍ଥାନ, ନଦୀ, ମନ୍ଦିର ଆଦିରେ ଛଠ ପୂଜା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ଜାରି ଆଦେଶରେ ଜନତାଙ୍କୁ ଘରେ ପୂଜା କରିବାକୁ ପରାମର୍ଶ ଦିଆଯାଇଛି।