ସରକାରଙ୍କ ଆଦେଶକୁ ଫୁ: ବିନା ମାସ୍କରେ ଯାତ୍ରା କରୁଥିଲେ ବିଜେପି ବିଧାୟକ, ଯାଞ୍ଚ ବେଳେ ପୋଲିସ ଅଟକାଇବାରୁ ଦେଲେ 'ଜ୍ଞାନ'

Published By : Prameya-News7 Bureau | April 08, 2021 IST

ସୀତାମଢି ୦୮/୦୪ : କେନ୍ଦ୍ର ଓ ରାଜ୍ୟ ସରକାର କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଗମ୍ଭୀର ଅଛନ୍ତି। କରୋନା ନିୟମ ପାଳନ କରିବାକୁ ସରକାର ବାରମ୍ବାର ଲୋକଙ୍କୁ ଅପିଲ କରୁଛନ୍ତି। ମାସ୍କ ନ ପିନ୍ଧି ଘରୁ ନ ବାହାରିବାକୁ ସରକାର ଆଦେଶ ଜାରି କରିଛନ୍ତି। ଏହି ଆଦେଶ ସରକାରୀ ଆଦେଶ ସମସ୍ତଂକ ପାଇଁ ଲାଗୁ। କିନ୍ତୁ କିଛି ଲୋକେ ଏହି ଆଦେଶ ପାଳନ କରୁନାହାନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବିହାରର ଜଣେ ବିଧାୟକ। ବିହାର ସୀତାମଢି ବିଧାୟକ ମିଥିଲେସ କୁମାର ସରକାରଙ୍କ ଏହି ଆଦେଶକୁ ମାନୁନାହାନ୍ତି। ସେ ବିନା ମାସ୍କରେ ଯାତ୍ରା କରୁଛନ୍ତି।

ବିଧାୟକ ଭାବୁ ନାହାନ୍ତି ଯେ ସେ ଜଣେ ଜନପ୍ରତିନିଧି ଏବଂ ତାଙ୍କୁ ଅନେକ ଲୋକ ଅନୁସରଣ କରୁଥିବେ। ସେସବୁ ଚିନ୍ତା ନ କରି ସେ ବିନା ମାସ୍କରେ ଯାତ୍ରା କରୁଛନ୍ତି। ଯାଞ୍ଚ ପାଇଁ ପୋଲିସ ଯେତେବେଳେ ତାଙ୍କୁ ଅଟକାଇଥିଲା ସେ ପୋଲିସକୁ ଜ୍ଞାନ ଦେବାକୁ ଲାଗିଲେ। ବିଜେପି ବିଧାୟକଙ୍କ କହିବାନୁଯାୟୀ, ମାସ୍କ ଯାଞ୍ଚ ହେବା କଥା ନୁହେଁ। ଏହାଦ୍ୱାରା ରାସ୍ତା ଜାମ ସମସ୍ୟା ଉତ୍ପନ୍ନ ହୋଇଥାଏ।

ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବୁଧବାର ସନ୍ଧ୍ୟାରେ ସଦର ଏସଡିଓ ରାକେଶ କୁମାର ଓ ସଦର ଡ଼ିଏସପି ରମାକାନ୍ତ ଉପାଧ୍ୟାୟଙ୍କ ନେତୃତ୍ତ୍ୱରେ ଡୁମରା ବିଡ଼ିଓ ଓ ନଗର ଥାନା ପୋଲିସ ଅଧିକାରୀ କୁଂଵର ସିଂହ ଛକରେ ମାସ୍କ ଓ ବାହନ ଚେକିଂ କରୁଥିଲେ। ସେତେବେଳେ ନଗର ବିଧାୟକ ସେହି ରାସ୍ତା ଦେଇ ନିଜ କାରରେ ଯାଉଥିଲେ। ପୋଲିସ ତାଙ୍କ କାର ଅଟକାଇବାକୁ ଇସାରା କରିଥିଲା। ପୋଲିସର ଏହି ବ୍ୟବହାର ବିଧାୟକଙ୍କୁ ଅପମାନଜନକ ବୋଧ ହେଲା। ପୋଲିସ ଅଧିକାରୀ ତାଙ୍କୁ କିଛି କହିବା ପୂର୍ବରୁ ବିଧାୟକ ରାଗିଯାଇ କାର ଓହ୍ଲାଇ ଅଧିକାରୀଙ୍କୁ ଏଆଡୁ ସିଆଡ଼ୁ କହିବାକୁ ଲାଗିଲେ। ସେ କହିଲେ, "ଏହିଭଳି ଯାଞ୍ଚ ପାଇଁ ହିଁ ସହରରେ ଜାମ ସମସ୍ୟା ସୃଷ୍ଟି ହେଉଛି। ପ୍ରଥମେ ରାସ୍ତା ଜାମ ସଫା କରନ୍ତୁ ତାପରେ ମାସ୍କ ଚେକିଂ କରିବେ।"ତେବେ ଏଠାରେ ଦୃଷ୍ଟି ଦେବା ଭଳି କଥା ହେଲା ସେତେବେଳେ ବିଧାୟକ ନିଜେ ମଧ୍ୟ ମାସ୍କ ପିନ୍ଧିନଥିଲେ।

ଏହି ଘଟଣାକ୍ରମ ସମୟରେ ଗଣମାଧ୍ୟମ କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜଣେ ସାମ୍ବାଦିକ ବିଧାୟକଙ୍କ ଏହି କାରନାମାର ଫଟୋ ଉଠାଇଥିଲେ। ଏହା ଦେଖି ବିଧାୟକ ଆହୁରି ରାଗିଯାଇଥିଲେ ଓ କ୍ୟାମେରା ବନ୍ଦ କରିବାକୁ ସାମ୍ବାଦିକଙ୍କୁ ଧମକ ଦେଇଥିଲେ। କିନ୍ତୁ ସେତେବେଳେ ବିଧାୟକଙ୍କ କାରନାମା କ୍ୟାମେରାରେ କଏଦ ହୋଇସାରିଥିଲା। ବର୍ତ୍ତମାନ ବିଧାୟକଙ୍କ ଏହି ଜ୍ଞାନର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.