ନିଜ ଦଳ ସାଂସଦଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ବିଧାୟକ
27/01/2021 at 6:10 PM

ବାଲିଆ ୨୭/୦୧ : ଉତ୍ତର ପ୍ରଦେଶ ବାଲିଆ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ନିଜ ଦଳର ସାଂସଦ ବୀରେନ୍ଦ୍ର ସିଂହଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସୁରେନ୍ଦ୍ର ସିଂହ ବୀରେନ୍ଦ୍ର ସିଂହଙ୍କ ଉପରେ ଜମି ମାଫିଆ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ସାଂସଦ ଓ ଜିଲ୍ଲା ଅଧିକାରୀଙ୍କ ବୁଦ୍ଧି-ଶୁଦ୍ଧି ପାଇଁ ୧୦୧ ଘଣ୍ଟା ଉପବାସ କରିବେ ବୋଲି କହିଛନ୍ତି। ଜିଲ୍ଲା ଅଧିକାରୀ ଏଚପି ଶାହି ସାଂସଦଙ୍କ ଚାପରେ ଆସି କାମ କରୁଥିବା ମଧ୍ୟ ସେ ଆରୋପ ଲଗାଇଛନ୍ତି। ମଙ୍ଗଳବାର ରାତିରେ ବିଧାୟକ ନିଜ ବାସଭବନରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ସାଂସଦ ବୀରେନ୍ଦ୍ର ସିଂହଙ୍କ ଉପରେ ଜମି ମାଫିଆ ଆରୋପ ଲଗାଇଥିଲେ।
ସେ ଆରୋପ ଲଗାଇଛନ୍ତି ଯେ ବୀରେନ୍ଦ୍ର ସିଂହ ଶିବପୁର ଗାଁରେ ବିଜୟ ବହାଦୁର ସିଂହଙ୍କ ୧୮ ଏକର ଜମି ନିଜ ପୁଅ, ଭାଇ ଓ ପୁତୁରା ନାଁରେ ହଡପ କରିଛନ୍ତି। ତେବେ ସେ ଅଭିଯୁକ୍ତଙ୍କ ନାଁରେ କୌଣସି ସାଖ୍ୟ ପ୍ରମାଣ ଦେଇନାହାନ୍ତି। ସେ କହିଛନ୍ତି ଯେ ଜିଲ୍ଲା ଅଧିକାରୀ ମଧ୍ୟ ସାଂସଦଙ୍କ ଭୟରେ ଚାପଗ୍ରସ୍ତ ହୋଇ କାମ କରୁଛନ୍ତି। ଏଥିପାଇଁ ସେ ସାଂସଦ ଓ ଜିଲ୍ଲା ଅଧିକାରୀଙ୍କ ବୁଦ୍ଧି ଶୁଦ୍ଧି ପାଇଁ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ୧୦୧ ଘଣ୍ଟା ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ଖୁବ ଶୀଘ୍ର ସେ ଅନଶନ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି।
ବିଜେପି ସାଂସଦ ବୀରେନ୍ଦ୍ର ସିଂହ ବିଧାୟକଙ୍କ ବୟାନରେ ପ୍ରତିକ୍ରିୟା ରଖି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସେ ଉତ୍ତର ପ୍ରଦେଶର ସବୁଠାରୁ ଶକ୍ତିଶାଳୀ ସାଂସଦ। ସେ ଚୁପ ଅଛନ୍ତି ବୋଲି ତାଙ୍କୁ କେହି ଦୁର୍ବଳ ବୋଲି ନ ଭାବନ୍ତୁ। ସେ କହିଛନ୍ତି ସମାଜରେ ଘୃଣା ଜନ୍ମ କରି କେହି ବି କେବେ ସମାଜର ହିତ କରିପାରେନି। ସାଂସଦଙ୍କ ବ୍ୟକ୍ତିଗତ ସଚିବ କହିଛନ୍ତି ଯେ ବିଜେପି ବିଧାୟକ ମାନସିକ ରୂପେ ଦେବାଳିଆ ହୋଇଯାଇଛନ୍ତି। ସେ ଗଣମାଧ୍ୟମ ସମ୍ମୁଖରେ ଆରୋପ ନ ଲଗାଇ ଆଇନ ଅନୁଯାୟୀ ଲଢ଼ିବା କଥା ବୋଲି ସେ କହିଛନ୍ତି।