ବିଜେପି ବିଧାୟକଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଜାଲ ମାର୍କ ସିଟ୍‌ ଦେଇ ବିଶ୍ବବିଦ୍ୟାଳୟରେ କରିଥିଲେ ଆଡମିସନ୍‌

Published By : Prameya-News7 Bureau | October 19, 2021 IST

ଅଯୋଧ୍ୟା ୧୯/୧୦ : ବିଜେପି ବିଧାୟକଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏକ ସ୍ବତନ୍ତ୍ର କୋର୍ଟ । ୨୮ ବର୍ଷ ତଳର ଏକ ମାମଲାର ଶୁଣାଣି କରି ଉତ୍ତର ପ୍ରଦେଶ ଗୋସାଇଗଞ୍ଜ ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀଙ୍କୁ ଏହି ଦଣ୍ଡାଦେଶ ମିଳିଛି । କଲେଜରେ ଜାଲ ମାର୍କ ସିଟ୍‌ ଦାଖଲ ମାମଲାର ଶୁଣାଣିକରି ସୋମବାର ରାୟ ପ୍ରକାଶ କରିଛନ୍ତି କୋର୍ଟ । ସ୍ବତନ୍ତ୍ର ଜଜ୍‌ ପୁଜା ସିଂହ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଏହା ପରେ କୋର୍ଟ​‌ରେ ଉପସ୍ଥିତ ବିଧାୟକଙ୍କୁ ଜେଲ ପଠାଇଦିଆଯାଇଛି ।  

ସୂଚନାଯୋଗ୍ୟ, ୧୯୯୨ ମସିହାରେ ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀ ଗୋଟିଏ ଶ୍ରେଣୀରୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲ ମାର୍କ ସିଟ୍‌ ଦାଖଲ କରିଥିଲେ । ଏହି ଘଟଣା ବାବଦରେ ଜଣାପଡିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା । ସେବେଠାରୁ ମାମଲା ବିଚାରଧୀନ ରହିଥିଲା । ଏବେ ଏହାର ଶୁଣାଣି କରି ବିଧାୟକଙ୍କୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଘଟଣାରେ ସଂପୃକ୍ତ ଆଉ ୨ ଜଣଙ୍କୁ ମଧ୍ୟ ୫ ବର୍ଷ ଲେଖାଏଁ ସଜା ହୋଇଛି ।

ସେତେବେଳେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଥିବା ଯଦୁବଂଶରାମ ତ୍ରିପାଠୀ ଥାନାରେ ଜାଲ ମାର୍କସିଟ୍‌ ଦାଖଲ ନେଇ ଅଭିଯୋଗ କରିଥିଲେ । ଜାଲ ମାର୍କ ସିଟ୍‌ ଦାଖଲ କରି ବିଧାୟକ ଇନ୍ଦ୍ର ପ୍ରତାପ ଏବଂ ତାଙ୍କର ୨ ଜଣ ବନ୍ଧୁ ପ୍ରବେଶ କରିଥିଲେ । କିନ୍ତୁ ଏ ବାବଦରେ ଜଣାପଡିବା ପରେ ସମସ୍ତଙ୍କ ଗିରଫ କରିଥିଲା ପୋଲିସ । ପରେ ଅବଶ୍ୟ ବେଲ ମିଳିଯାଇଥିଲା । ଏବେ ଏହାର ଶୁଣାଣିକରି କୋର୍ଟ ତାଙ୍କୁ ୫ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି ।

ସେତେବେଳେ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଯେ, ବିଧାୟକ ଜାଲ ମାର୍କ ସିଟ୍‌ ଦାଖଲ କରି ଯୁକ୍ତ ୩ରେ ଆଡମିସନ୍‌ କରିଥିଲେ । ଛାତ୍ର ସଂଘ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ ସୁଦ୍ଧା ପରେ ତାହାକୁ ଅବୈଧ ଘୋଷଣା କରାଯାଇଥିଲା । ତଥାପି ତାଙ୍କର ଦବଦବା ବଢିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଇନ୍ଦ୍ର ପ୍ରତାପ ସିଂହ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ବିଧାୟକ ଅଛନ୍ତି । ଏବେ ମାମଲାର ଶୁଣାଣିକରି ବିଧାୟକଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ତେବେ ସେ ରାୟକୁ ଚ୍ୟାଲେଞ୍ଜ କରି ଉପରିସ୍ଥ କୋର୍ଟଙ୍କ ଆଶ୍ରୟ ନେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.