ବିଜେପି ବିଧାୟକଙ୍କ ବିବାଦୀୟ ବୟାନ : କହିଲେ ‘ଚିକେନ୍ ବିରିୟାନୀ ଖାଇ ବାର୍ଡ ଫ୍ଲୁ ବିସ୍ତାର କରିବା ଷଡଯନ୍ତ୍ର ହେଉଛି ଚାଷୀ ଆନ୍ଦୋଳନ’
10/01/2021 at 8:16 PM

ନୂଆଦିଲ୍ଲୀ ୧୦/୦୧ : ନୂଆ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ନେଇ ବିଜେପି ବିଧାୟକ ମଦନ ଦିଲାଓ୍ବର ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ ଚାଷୀ ଆନ୍ଦୋଳନକୁ ପିକ୍ନିକ୍ ଆଖ୍ୟା ଦେଇ କହିଛନ୍ତି ଯେ, ‘ଚିକେନ୍ ବିରିୟାନୀ ଖୁଆଇ ଦେଶରେ ବାର୍ଡ ଫ୍ଲୁ ବିସ୍ତାର କରିବାକୁ ଷଡଯନ୍ତ୍ର’ । ଦିଲାଓ୍ବର ଦେଇଥିବା ବିବାଦୀୟ ବୟାନକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ରାଜସ୍ଥାନର ରାମଗଜମଣ୍ଡୀ, କୋଟାର ବିଜେପି ବିଧାୟକ ମଦନ ଦିଲାକର କହିଛନ୍ତି, ଚାଷୀ ଆନ୍ଦୋଳନ ହେଉଛି, କେଉଁଥି ପାଇଁ ହେଉଛି ? ଯେଉଁ ନୂଆ ୩ଟି ବିଲ ଆସିଛି ତାକୁ ପ୍ରତ୍ୟାହାର କରି ଚାଷୀମାନଙ୍କ ଲାଭକୁ ଏମାନେ ପ୍ରତିରୋଧ କରିବା ପାଇଁ ପ୍ରୟାସ କରୁଛନ୍ତି । ଚାଷୀମାନେ ସେଠାରେ ପିକନିକ୍ କରୁଛନ୍ତି । ଚିକେନ୍ ବିରିୟାନୀ ଖାଉଛନ୍ତି । କାଜୁ ବାଦାମ ଖାଉଛନ୍ତି । ଅଏସ୍ ଆରାମରେ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ଏବଂ ଚୋର ଲୁଟେରା ମଧ୍ୟ ଥାଇପାରନ୍ତି । ସେମାନେ ସମସ୍ତେ ଦେଶକୁ ବର୍ବାଦ କରିବାକୁ ଚାହୁଁଛନ୍ତି ।
ତେବେ ଏଭଳି ବିବାଦୀୟ ବୟାନ ପରେ ହଟଚମଟ ସୃଷ୍ଟି ହୋଇଛି । ବିଜେପି ବିଧାୟକଙ୍କ ଏଭଳି ବୟାନକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ରାଜସ୍ଥାନ କଂଗ୍ରେସ ପ୍ରମୁଖ ଗୋବିନ୍ଦ ସିଂହ ଡୋଟାସ୍ରା ବିଜେପି ବିଧାୟକଙ୍କର ଏହି ଭିଡିଓ ଟ୍ବିଟ୍ କରି କହିଛନ୍ତି, ‘ବିଜେପି ବିଧାୟକ ମଦନ ଦିଲାକର, ଚାଷୀଙ୍କ ପ୍ରତି ଆତଙ୍କବାଦୀ, ଲୁଟେରା ଭଳି ଶବ୍ଦ ବ୍ୟବହାର କରିବା ଅତ୍ୟନ୍ତ ଲଜ୍ଜାଜନକ । ଯେଉଁମାନେ ଆମ ପେଟକୁ ଅନ୍ନ ଦେଉଛନ୍ତି ସେମାନଙ୍କ ଆନ୍ଦୋଳନକୁ ପିକନିକ୍ର ଆଖ୍ୟା ଦିଆଯାଉଛି, ବାର୍ଡ ଫ୍ଲୁ ପାଇଁ ଦାୟୀ କରାଯାଉଛି ’ । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ବିଜେପି ଅଧ୍ୟକ୍ଷ ବିଧାୟକମାନଙ୍କୁ ଲଗାମ ଦିଅନ୍ତୁ ବୋଲି ସେ କହିଛନ୍ତି ।