ଗେହଲଟ୍ ସରକାରର ପତନ ଚାହାଁନ୍ତିନି ବିଜେପି ନେତା, ବସୁନ୍ଧରାଙ୍କ ଘନିଷ୍ଠ ବିଧାୟକଙ୍କ କଥାକୁ ନେଇ ରାଜସ୍ଥାନ ରାଜନୀତି ସରଗରମ

Published By : Prameya-News7 Bureau | July 18, 2020 IST

ଜୟପୁର,୧୮|୦୭: ରାଜସ୍ଥାନରେ ରାଜନୈତିକ ଡ୍ରାମା ଜାରି ରହିଛି । କଂଗ୍ରେସ ସରକାରର ପତନ ଘଟାଇବାକୁ ବିଜେପି ଷଡଯନ୍ତ୍ର ରଚୁଥିବା ଅଭିଯୋଗ ହେଉଛି । ଏହା ମଧ୍ୟରେ ବିଜେପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହଯୋଗୀ ତଥା ବିଧାୟକ କୈଳାଶ ମେଭଓ୍ୱାଲ ନିଜ ଦଳର ନୈତିକତାକୁ ନେଇ ପରାମର୍ଶ ଦେଇଛନ୍ତି । ଜନତାଙ୍କ ଦ୍ୱାରା ନିର୍ବାଚିତ ସରକାର ଭାଙ୍ଗିବା ଅନୁଚିତ । ଏହା ନୈତିକତା ବିରୋଧି ବୋଲି ସେ କହିଛନ୍ତି । ଏପରିକି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବସୁନ୍ଧରାଙ୍କ ରାୟ ନେବା ଆବଶ୍ୟକ ଓ ତାଙ୍କୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ବିଜେପି ବିଧାୟକ ମେଘଓ୍ୱାଲ କହିଛନ୍ତି ଯେ, ରାଜସ୍ଥାନ ରାଜନୀତି ଏବେ ସଙ୍କଟରେ ଅଛି । ଫଳରେ ଜନତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଜନସଂଘରୁ ଯେଉଁନେତା ବିଜେପି ଯାଏଁ ରହିଥିଲେ ସେମାନେ ଦଳର ଆଦର୍ଶ ଓ ନୈତିକତାକୁ ଗୁରୁତ୍ୱ ଦେଉଥିଲେ । ଆଜିର ରାଜନୀତିରେ ନୈତିକତା ନାହିଁ ।

ସେ ଆହୁରି କହିଛନ୍ତି ଯେ, ଆଜି ରାଜସ୍ଥାନରେ ଯାହା ହେଉଛି ତାହା ଅନୈତିକ । ନିର୍ବାଚିତ ସରକାରକୁ ଅନାବଶ୍ୟକ ଭାବେ, ଅଣସାମ୍ବିଧାନିକ ଭାବେ ହଟାଇବା ଭୁଲ । ବିଜେପି ହେଉଛି ଏକ ଭିନ୍ନ ଦଳ । ସରକାର ଭାଙ୍ଗିବା ପାଇଁଷଡଯନ୍ତ୍ର ଏପରି କେବେ ହୋଇନଥିଲା ।

ସୂଚନାଯୋଗ୍ୟ, କଂଗ୍ରେସ ଅଭିଯୋଗ କରି ଆସୁଛି ଯେ, ବିଜେପି ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଛି । ଏପରିକି କଂଗ୍ରେସ ଏକ ଅଡିଓ କ୍ଲିପକୁ ନେଇ ବିଜେପିକୁ ଘେରିଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କଂଗ୍ରେସରୁ ନିଲମ୍ବିତ ବିଧାୟକ ଭମ୍ବରଲାଲଙ୍କ ସହ ବିଧାୟକ କିଣାବିକା ନେଇ ଆଲୋଚନା କରୁଥିଲେ । ତେବେ ଏହି ଅଡିଓ କ୍ଲିପକୁ ବିଜେପି ଫେକ୍ କହିବା ସହ ସିବିଆଇ ତଦନ୍ତ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.