ପୁରା ପରିବାର କାଠଗଡ଼ାରେ: ବିଜେପି ବିଧାୟକ, ୫ ପୁଅ ଓ ପୁତୁରାଙ୍କ ନାମରେ ଗଣ ଦୁଷ୍କର୍ମ ମାମଲା

Published By : Prameya-News7 Bureau | February 19, 2020 IST

ଲକ୍ଷ୍ନୌ ୧୯ | ୦୨-   ଜଣେ ବିଧାୟକ , ତାଙ୍କ ୫ ପୁଅ ଏବଂ ପୁତୁରା ସମସ୍ତେ  ଅଭିଯୁକ୍ତ। ଉତ୍ତର ପ୍ରଦେଶର ଭାଦୋହୀରୁ ରାଜଧାନୀ ଲକ୍ଷ୍ନୌ ପର୍ଯ୍ୟନ୍ତ ଏପରି ଏକ ଖବର ନେଇ ହଇଚଇ ।  ଭାଦୋହୀ ବିଧାୟକ ରବିନ୍ଦ୍ର ନାଥ ତ୍ରିପାଠୀ, ତାଙ୍କର ୫ ପୁଅ ଏବଂ ଜଣେ ପୁତୁରାଙ୍କ ନାମରେ ରୁଜ୍ଜୁ ହୋଇଛି ଗଣ ଦୁଷ୍କର୍ମ ମାମଲା। ଭାଦୋହୀ କୋଟୱାଲି ପୋଲିସ ଷ୍ଟେସନରେ ହୋଇଥିବା ଏକ ଏଫଆଇଆର ଭିତ୍ତିରେ ପୋଲିସ ବୁଧବାର ଦିନ ବିଧାୟକ ଏବଂ ତାଙ୍କ ପରିବାରର ୬ ସଦସ୍ୟଙ୍କ ବିରୋଧରେ ଏପରି ସଙ୍ଗୀନ ମାମଲା ରୁଜ୍ଜୁ କରିଛି । ଗତ ୯ ତାରିଖରେ ଜଣେ ମହିଳା କରିଥିବା ଅଭିଯୋଗ ଆଧାରରେ ଏପରି ପଦକ୍ଷେପ ନେଇଛି ପୋଲିସ  ।

 ମାମାଲାର ଗୁରୁତ୍ବକୁ ନଜରରେ ରଖି ଭାଦୋହୀ ଏସ୍‌ପି ଆର୍.ବି. ସିଂହ ଘଟଣାର ତଦନ୍ତ ଦାୟୀତ୍ବ ଜଣେ ଏଏସ୍‌ପିଙ୍କୁ ଦେଇଥିଲେ । ସେହି ପୋଲିସ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିଧାୟକ ତ୍ରିପାଠୀ , ତାଙ୍କ ୫ ପୁଅ ଏବଂ ଜଣେ ପୁତୁରାଙ୍କ ନାମରେ ଏଫଆଇଆର ହୋଇଛି । ବିଧାୟକଙ୍କ ଅଭିଯୁକ୍ତ ପୁଅ ମାନେ ହେଲେ, ସଚିନ, ଚନ୍ଦ୍ରଭୂଷଣ, ଦୀପକ, ପ୍ରକାଶ, ନୀତେଶ ଏବଂ ପୁତୁରା ସନ୍ଦିପ୍ ।

 ଅଭିଯୋଗକାରିଣୀ ବିଧବା ମହିଳା ବାରଣାସୀର ବାସିନ୍ଦା । ସେ ପୋଲିସରେ କରିଥିବା ଅଭିଯୋଗ ଅନୁଯାୟୀ ୬ ବର୍ଷ ତଳେ ସେ ଟ୍ରେନ୍‌ରେ ଯାଉଥିବା ବେଳେ ସନ୍ଦିପ୍‌ଙ୍କ ସହ ତାଙ୍କର ପରିଚିତ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ସଂପର୍କ ବଢିଥିଲା । ସନ୍ଦିପ୍‌ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା । ତେବେ ତାଙ୍କୁ ସାଙ୍ଗରେ ନେଇ ଭାଦେହୀ, ବାରଣାସୀ ଏବଂ ମୁମ୍ବାଇର ହୋଟେଲର ରଖି ବାରମ୍ବାର ଦୁଷ୍କର୍ମ କରିଥିଲା । ଏହାପରେ ୨୦୧୭ ନିର୍ବାଚନ ସମୟର ତାଙ୍କୁ ଭଦୋହୀର ଏକ ହୋଟେଲରେ ବଳପୂର୍ବକ ୪୫ ଦିନ ରଖି ବିଧାୟକ, ତାଙ୍କପୁଅ ଏବଂ ଅନ୍ୟମାନେ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.