ନେହେରୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ, କହିଲେ- କ୍ରାନ୍ତିକାରୀ ଆଜାଦଙ୍କ ହତ୍ୟାରେ ଥିଲେ ସାମିଲ

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ ୦୧।୦୩: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ବିଜେପି)ର ବିଧାୟକ ସ୍ଵାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା ପାଇଁ ଜବାହରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି। ବିଜେପି ବିଧାୟକ ମଦନ ଦିଲାଓ୍ଵର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ମଦନ ବିଲାଓ୍ଵର ବିଜେପିର ରାଜ୍ୟ ସଂପାଦକ ମଧ୍ୟ ଅଛନ୍ତି। ରବିବାର ବିଜେପିର ସ୍ଥାନୀୟ ବୈଠକରେ ବିଧାୟକ ମଦନ ସାମିଲ ହୋଇଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ଇଂରେଜଙ୍କ ସହ ମିଶି ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା କରାଇଥିଲେ। ମୃତ୍ୟୁ ପୂର୍ବରୁ ଚନ୍ଦ୍ରଶେଖର ଆଜାଦ ପଣ୍ଡିତ ନେହେରୁଙ୍କୁ ଭେଟିବାକୁ ଯାଇଥିଲେ ବୋଲି ଦିଲାଓ୍ଵର କହିଛନ୍ତି।

ଦିଲାଓ୍ଵର କହିଛନ୍ତି, ପଣ୍ଡିତ ନେହେରୁଙ୍କୁ ଜଣାଥିଲା ଯେ ଆଜାଦ ଅଲଫ୍ରେଡ୍ ପାର୍କରେ ବସିଛନ୍ତି। ସେ ହିଁ ଇଂରେଜଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ ଇଂରେଜର ସିପାହୀ ଆଜାଦଙ୍କୁ ପାର୍କର ଚାରିପଟେ ଘେରି ଯାଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଚନ୍ଦ୍ରଶେଖର ଆଜାଦ ଇଂରେଜଙ୍କ ହାତରେ ମରିବା ଅପେକ୍ଷା ନିଜ ହାତରେ ନିଜକୁ ଗୁଳି କରି ମରିବାକୁ ଶ୍ରେୟସ୍କର ମଣିଥିଲେ।

ମଦନଙ୍କ ବୟାନରେ ହୋଇପାରେ ବିବାଦ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ମଦନ ଦିଲାଓ୍ଵର ଦେଇଥିବା ଏହି ବୟାନରେ ବିବାଦ ସୃଷ୍ଟି ହୋଇପାରେ। ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା ପାଇଁ ନେହେରଙ୍କୁ ଦାୟୀ କରିବା ଏହା ହେଉଛି ପ୍ରଥମ ଘଟଣା। ଏହା ପୂର୍ବରୁ କେହି ହେଲେ ଆଜାଦଙ୍କ ମୃତ୍ୟୁକୁ ନେଇ ନେହେରୁଙ୍କ ଉପରେ ଅଭିଯୋଗ କରିନଥିଲେ। କୁହାଯାଉଛି ଯେ ରାଜ୍ୟର କ୍ଷମତାଧାରୀ କଂଗ୍ରେସ ତାଙ୍କର ଏହି ବୟାନକୁ ପ୍ରସଙ୍ଗ କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.