ବିଧାନସଭା ଶୀତ ଅଧିବେଶନ : କଳାପଟି ବାନ୍ଧି ଗୃହକୁ ଆସିଲେ ବିଜେପି ସଦସ୍ୟ
15/11/2019 at 10:30 AM

ଭୁବନେଶ୍ବର ୧୫।୧୧ : ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଚାଲିଛି ପ୍ରଶ୍ନକାଳ । ସ୍ମିତାରାଣୀ ବିଶ୍ବାଳ ପ୍ରସଙ୍ଗରେ ୨ଦିନ ଧରି ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିବା ପରେ ଆଜି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି । ମୁହଁରେ କଳାପଟି ଏବଂ ବେକରେ କଳା ଗାମୁଛା ପକାଇ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଛନ୍ତି ବିଜେପି ବିଧାୟକ । ବିଜେପି ବିଧାୟକମାନେ କଳାପଟି ବାନ୍ଧି ପ୍ରତିବାଦ ସ୍ବରୁପ ଗୃହରେ ଛିଡା ହୋଇଥିଲେ । ବାଚସ୍ପତିଙ୍କ ଅନୁରୋଧ ପରେ ବିଧାୟକମାନେ ମୁହଁରୁ କଳାପଟି କାଢି ନିଜ ନିଜ ଆସନରେ ବସିଥିଲେ । ଏବେ ଚାଲିଛି ପ୍ରଶ୍ନକାଳ ।
ଆଜିର ପ୍ରଶ୍ନକାଳରେ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ଶକ୍ତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ଆଇଟି ଓ ଏମଏସଏମଇ ବିଭାଗ ସଂପର୍କିତ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।
ଗତକାଲି କଂଗ୍ରେସ ସ୍ମିତାରାଣୀଙ୍କ ପ୍ରସଙ୍ଗରେ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା । କିନ୍ତୁ ଆଲୋଚନା ବେଳେ ସେମିତି ପ୍ଲାକାର୍ଡ ଧରି ସିବିଆଇ ତଦନ୍ତ ଦାବିରେ ନାରାବାଜି ଜାରି ରଖିଥିଲେ ବିଜେପି ବିଧାୟକ ।ଏହାରି ଭିତରେ ଗୃହରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖି କହିଥିଲେ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଥିଲେ। ଆଉ ମୁଲତବୀ ପ୍ରସ୍ତାବକୁ ନାକଚ କରିଥିଲେ ବାଚସ୍ପତି ।