ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର ୧/୧୦ : ମହିଳାଙ୍କ ୨ଟି ସ୍ୱାମୀବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରି ଆଲୋଚନା କରିବ | ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି | ମହିଳାଙ୍କ ସମ୍ପର୍କରେ ମହାରଥୀଙ୍କ ଆପତ୍ତିଜନକ ପ୍ରସଙ୍ଗ କଥା ଜାଣି ସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ନିରବ ତାର ଉତ୍ତର ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ମାଗିବ | ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ହୋଇଥିବାରୁ ଅହିଂସା ଉପାୟରେ ମହିଳା ମୋର୍ଚ୍ଚା ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ପଦକ୍ଷେପ ନେବ ବୋଲି କୁହାଯାଇଛି | ଏଥିସହ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯେହେତୁ ଦାବି କରୁଛନ୍ତି, ତେଣୁ ମହିଳା ମୋର୍ଚ୍ଚାର ଅହିଂସା କାର୍ଯ୍ୟକ୍ରମକୁ ସେ ଗ୍ରହଣ କରିବେ ବୋଲି ବିଜେପି ମହିଳା ମୋର୍ଚ୍ଚା ଆଶା ପ୍ରକାଶ କରିଛି | ମୌନ ସମ୍ମତି ଲକ୍ଷଣ ଭଳି ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି କହୁନଥିବାରୁ ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି | ଆସନ୍ତାକାଲି ଦିନ ୧୧ଟା ବେଳେ ରାଜ୍ୟର ସମସ୍ତ ବିଜେପି ମହିଳା ନେତ୍ରୀ ନବୀନ ନିବାସଠାରେ ପହଂଚିବେ ବୋଲି ପ୍ରଭାତୀ ପରିଡା କହିଛନ୍ତି | ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ମହାରଥୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ସମଗ୍ର ରାଜ୍ୟରେ ମହାରଥୀଙ୍କ କୁଶ ପୁତ୍ତଳିକା ଦାହ କରି ଆନ୍ଦୋଳନ ଚଳାଇଛି | ମହାରଥୀଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି କରିଛି | ଏ ପ୍ରସଙ୍ଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସର୍ବ ସାଧାରଣରେ କ୍ଷମା ମାଗନ୍ତୁ ବୋଲି ମଧ୍ୟ ମୋର୍ଚ୍ଚା ଦାବି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.