କେନ୍ଦ୍ରାପଡାରେ ମତଦାନ କେନ୍ଦ୍ର ପରିଦର୍ଶନ କଲେ ବୈଜୟନ୍ତ

Published By : Prameya-News7 Bureau | April 29, 2019 IST

କେନ୍ଦ୍ରାପଡା ୨୯।୪: ଆଜି ରାଜ୍ୟରେ ଚତୁର୍ଥ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ  ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନ ନିମନ୍ତେ ଭୋଟଗ୍ରହଣ ହେଉଥିବା ବେଳେ ୬ଟି ଜିଲ୍ଲାରେ ଚାଲିଛି ମତଦାନ । ଏଥିରେ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେଉଥିବା ବେଳେ କେତେକ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ହୋଇଥିବା ସୂଚନା ମଳିଛି । ବିଜେପିର କେନ୍ଦ୍ରାପଡା ଲୋକସଭାପ୍ରାର୍ଥୀ ତଥା ଦଳର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଜୟପଣ୍ଡା ଲୋକସଭା ନିର୍ବାଚନମଣ୍ଡଳିର ୩୮ ନମ୍ବର ବୁଥ ପରିଦର୍ଶନ କରିଥିବା ବେଳେ ମୁକ୍ତ ଓ ଅବାଧ ମତଦାନ ନିମନ୍ତେ ପୋଲିଂ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାରେ ମତଦାନ ବେଳେ ବିଜେଡି ସମର୍ଥକ ଓ କର୍ମୀ ମାନେ ବୁଥ ରିଗିଙ୍ଗ କରିବାକୁ ଉଦ୍ୟମ କରୁଥିବା ପଣ୍ଡା ଅଭିଯୋଗ କରିଛନ୍ତି । ଏ ନେଇ ମତଦାନ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ୧୪ରୁ ୧୫ଟି ଅଭିଯୋଗ କରାଯାଇଥିବା କହିଛନ୍ତି ।

କେନ୍ଦ୍ରାପଡା ମହାଙ୍ଗାରେ ବିଜେପିର ପୋଲିଂ ଏଜେଣ୍ଟଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହେଇଛି । ବିଜେଡି କର୍ମୀମାନେ ଏଜେଣ୍ଟଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ତେବେ ଅନ୍ୟ ବୁଥମାନଙ୍କରେ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଥିବା ପୋଲିଂ କର୍ମଚାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.