କର୍ଣ୍ଣାଟକରେ ୟେଦୁରାପ୍ପାଙ୍କ ପରେ କିଏ? ଉତ୍ତରାଧିକାରୀ ଖୋଜୁଛି ବିଜେପି

Published By : Prameya-News7 Bureau | June 07, 2020 IST

ବେଙ୍ଗାଲୁରୁ ୭।୬: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ଜୁଲାଇ ମାସରେ ତାଙ୍କ ଚତୁର୍ଥ କାର୍ଯ୍ୟକାଳର ପ୍ରଥମବର୍ଷ ପୂରଣ କରିବାକୁ ଯାଉଛନ୍ତି। ୭୮ ବର୍ଷ ବୟସ୍କ ଲିଙ୍ଗାୟତ ନେତା ୟେଦୁରପ୍ପା ଏବେବି ରାଜ୍ୟ ବିଜେପିର ଜଣେ ନିର୍ବିରୋଧ ନେତା। ତେବେ ତାଙ୍କ ପରେ କିଏ ପାର୍ଟି ସମ୍ଭାଳିବ ତାହା ହିଁ ବର୍ତ୍ତମାନ ସମୟର ବଡ ପ୍ରଶ୍ନ ପାଲଟିଛି। ଏଣୁ ରାଜ୍ୟ ବିଜେପିରେ ତାଙ୍କ ପରି ଜଣେ ଦ୍ୱିତୀୟ ପ୍ରଭାବଶାଳୀ ଓ ସର୍ବମାନ୍ୟ ନେତାଙ୍କ ତଲାସ ଚାଲିଥିବା ଜଣାପଡିଛି।

ପାର୍ଟିର ଜନୈକ ନେତାଙ୍କ ଅନୁସାରେ ୟେଦୁରପ୍ପାଙ୍କୁ ବାଦ ଦେଇ ଦେଖିଲେ କର୍ଣ୍ଣାଟକ ବିଜେପିରେ କିଛି ନାହିଁ। ଏଣୁ ୟେଦୁରପ୍ପାଙ୍କ ରାଜନୈତିକ ସୂର୍ଯ୍ୟାସ୍ତ ପୂର୍ବରୁ ତାଙ୍କ ଉତ୍ତରାଧିକାରୀ ଖୋଜିନେବା ହିଁ ଏଠାରେ ପାର୍ଟି ଲାଗି ବୁଧିମାନର କାମ ହେବ ବୋଲି ସମ୍ପୃକ୍ତ ନେତା କହିଛନ୍ତି। ତାଙ୍କ ଅନୁସାରେ ଏପରି ଜଣେ ବ୍ୟକ୍ତିତ୍ୱଙ୍କୁ ତାଙ୍କର ଉତ୍ତରାଧିକାରୀ ଚୟନ କରାଯିବା ଦରକାର ଯିଏ ଲିଙ୍ଗାୟତ ସମୂଦାୟର ଅଥବା ସମ୍ପର୍କିତ  ହୋଇଥିବେ ଓ ତାଙ୍କୁ ତୁରନ୍ତ ପାର୍ଟିର ସମସ୍ତଙ୍କ ସ୍ୱୀକୃତି ମିଳୁଥିବ।

ଗତବର୍ଷ ଜୁଲାଇ ମାସରେ ଯେତେବେଳେ ବିଜେପି ପୁଣି ରାଜ୍ୟ ଶାସନକୁ ଫେରିଲା ସେତେବେଳେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏମାନଙ୍କ ଲକ୍ଷ୍ମଣ ସାବଦୀ ଲିଙ୍ଗାୟତ ସମୂଦାୟର ହୋଇଥିବା ବେଳେ ଗୋବିନ୍ଦ କରଜୋଲ ଏସସି ସମୂଦାୟର ଓ ସି.ଏନ. ଅଶ୍ୱତଥ ନାରାୟଣ ବୈକ୍କାଲିଙ୍ଗା ସମୂଦାୟ ସମ୍ବଦ୍ଧିତ। ତେବେ ୩ ଜଣଙ୍କ ମଧ୍ୟରୁ କେହି ଜଣେ ବି ହେଲେ ୟେଦୁରପ୍ପାଙ୍କ ବିକଳ୍ପ ନୁହଁନ୍ତି ବୋଲି ତାହା ପ୍ରମାଣିତ ହୋଇସାରିଲାଣି।

ଏଥିରେ ୟେଦୁରପ୍ପାଙ୍କ କାର୍ଯ୍ୟଶୈଳୀ ଏବେ ପାର୍ଟିରେ ଅସନ୍ତୋଷର କାରଣ ପାଲଟିଥିଲେ ବି ବିକଳ୍ପ ନଥିବାରୁ ଶୀର୍ଷ ନେତୃତ୍ୱ ଜାଣିଶୁଣି ଚୁପ୍ ରହୁଛନ୍ତି।  ରାଜ୍ୟରେ ଲିଙ୍ଗାୟତ ସମୂଦାୟ ବିଜେପିର ମୂଳ ପକାଇବା ସହ ଭୋଟ ବ୍ୟାଙ୍କ ମଧ୍ୟ। ଏଣୁ  ଏହି ସମୂଦାୟକୁ ବାଦ ଦେଇ ବିଜେପିର ପରିକଳ୍ପନା ମଧ୍ୟ କରିହେବନି।  ତେବେ ପାର୍ଟି ସୂତ୍ରରୁ ମିଳୁଥିବା ସୂଚନାରୁ ବିଜେପି ଶିର୍ଷ ନେତୃତ୍ୱ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ୟେଦୁରପ୍ପାଙ୍କ ଉତ୍ତରାଧିକାରୀ ଖୋଜିବା ଲାଗି ଉଦ୍ୟମ ଆରମ୍ଭ କରିଛି।

ପାର୍ଟି କିଛି ନାମ ଉପରେ ଏବେ ବିଚାର ମଧ୍ୟ କରୁଛି। ଏଥିରେ ଲିଙ୍ଗାୟତ୍ତ ନେତା ଜଗଦ୍ଦୀଶ ସେଟ୍ଟାର, ବି.ସୋମନ୍ନା, ବାସବରାଜ ବୋମଇ ଓ ମୁର୍ଗେଶ ନିରାନୀଙ୍କ ମଧ୍ୟରୁ କିଏ ହେଲେ ଜଣେ ଆଗକୁ ରାଜ୍ୟରେ ପାର୍ଟିର ନେତୃତ୍ୱ ନେଇପାରନ୍ତି। ତେବେ ଏମାନଙ୍କୁ ନେଇ ପାର୍ଟିରେ ସହମତି ହୋଇ ପାରୁନଥିବା ବେଳେ ଆହୁରି ଦୁଇଜଣଙ୍କ ନାମ ବି ଏବେ ସାମିଲ ହେଲାଣି। ଏଥିରୁ ଜଣେ ବିଜୟପୁରା ବିଧାୟକ ବାସନ୍ନଗୌଡା ପାଟିଲ ୟତନାଲ ହୋଇଥିବା ବେଳେ ଅନ୍ୟଜଣକ ହେଉଛନ୍ତି ଧାରବାଡ ୱେଷ୍ଟ ବିଧାୟକ ଅରବିନ୍ଦ ବେଲ୍ଲାଡ। ଉଭୟ ଲିଙ୍ଗାୟତ ସମୂଦାୟର ଟାଣୁଆ ନେତା ।

ଏଥିରୁ ୟତନାଲଙ୍କ ସମ୍ପର୍କ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ରହିଛି। ଅତୀତରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ। ହେଲେ କଥାକୁହାଳିଆ ଗୁଣ ଯୋଗୁ ତାଙ୍କୁ ବିବାଦୀୟ ନେତା ବିଚାର କରାଯାଏ। ଏଣୁ ଲିଙ୍ଗାୟତ ସମୂଦାୟ ବାହାରୁ ମଧ୍ୟ ପାର୍ଟି ନେତା ଖୋଜୁଛି। ଏପରି ନେତାଙ୍କ ମଧ୍ୟରେ ପ୍ରହ୍ଲାଦ ଯୋଶୀ, ଏସ୍.ସୁରେଶ କୁମାର, ଆର.ଅଶୋକ ଓ ଅରବିନ୍ଦ ଲିମ୍ବାବଲୀଙ୍କ ନାମ ମଧ୍ୟଚର୍ଚ୍ଚା ହେଉଛି। ଏମାନଙ୍କ ମଧ୍ୟ ଆରଏସଏସ୍‌ର ସମର୍ଥନ ମିଳିବ। ଏଥିରେ ୟେଦୁରପ୍ପା ଏବେ ତାଙ୍କ କନିଷ୍ଠ ପୁତ୍ର ବି.ୱାଇ.ବିଜୟେନ୍ଦ୍ରଙ୍କୁ ସାମ୍ନାକୁ ଆଣିବାକୁ ଉଦ୍ୟମ କରୁଥିବାରୁ ରାଜ୍ୟ ବିଜେପିର ଦିଶା ଓ ଦଶା ଏବେ ସନ୍ଦେହ ମଧ୍ୟକୁ ଠେଲି ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.