ଜିତିବା ଖୁସିରେ ବାଣ ଫୁଟେଇବା ପଡିଲା ମହଙ୍ଗା: ବିଜେପି ନେତାଙ୍କ ପୁଅକୁ ହତ୍ୟା

Published By : Prameya-News7 Bureau | November 11, 2020 IST

କଟିହାର ୧୧/୧୧ : ବିହାର କଟିହାରରେ ଏନଡିଏର ବିଜୟ ଖୁସିରେ ବାଣ ଫୁଟାଇବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଯୁବକ ବିଜେପି ବୁଥ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବରଙ୍କ ପୁଅ ଥିଲେ। ଯୁବକଙ୍କ ପରିବାର ଲୋକ କହିଛନ୍ତି ଏନଡିଏର ବିଜୟରେ ବାଣ ଫୁଟେଇବା ମହଙ୍ଗା ପଡିଲା। ବିବାଦ ଏତେ ବଢିଗଲା ଯେ ଗାଁର କିଛି ଯୁବକ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବୋଲି କହିଛନ୍ତି ତାଙ୍କ ପରିବାର ଲୋକ। ହତ୍ୟା ପରେ ଶବକୁ ଗାଁ ସ୍ଥିତ ଦରଗାହ ବହିୟାରରେ ଏକ ଗଛରେ ଝୁଲେଇ ଦେଇଥିଲେ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି। ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିଲା। ହତ୍ୟା ଘଟଣା ଫଳକା ଥାନା ଅନ୍ତର୍ଗତ ସୋହତା ପଞ୍ଚାୟତ ଗୋପାଳପଟ୍ଟି ଗାଁରେ ଘଟିଛି। ବିଜେପି ବୁଥ ଅଧ୍ୟକ୍ଷ ଦୀନେଶ ମୁନି କହିଛନ୍ତି ଯେ ତାଙ୍କର ୧୮ ବର୍ଷୀୟ ପୁଅ ରଂଜିତ କୁମାରଙ୍କୁ ଗାଁର କିଛି ଯୁବକ ନିର୍ମମ ଭାବେ ହତ୍ୟା କରିଛନ୍ତି। ବୁଥ ଅଧ୍ୟକ୍ଷଙ୍କ ପତ୍ନୀ ଉଷା ଦେବୀ ମଧ୍ୟ ୱାର୍ଡ ସଦସ୍ୟ ଅଛନ୍ତି।

ବିଜେପି ବୁଥ ଅଧ୍ୟକ୍ଷ ଦୀନେଶ ମୁନି ପୋଲିସକୁ କହିଛନ୍ତି ଯେ ଏନଡିଏ ଜିତିବା ଖୁସିରେ ତାଙ୍କ ପୁଅ ବାଣ ଫୁଟାଉଥିଲା, ଯେଉଁଥିପାଇଁ କିଛି ଲୋକ ରାଗିଯାଇଥିଲେ। ଏହାପରେ ବୁଧବାର ସକାଳେ ତାଙ୍କ ପୁଅର ମୃତଦେହ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା। ପରିବାର ଲୋକ ପୋଲିସକୁ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଏନଡିଏ ପୁର୍ଣ ବହୁମତରେ ବିଜୟୀ ହୋଇଥିବା ଖୁସିରେ ବାଣ ଫୁଟେଇବାକୁ ନେଇ ଗାଁର କିଛି ଯୁବକଙ୍କ ସହ ବିବାଦ ହୋଇଥିଲା। ସେହିମାନେ ତାଙ୍କ ପୁଅକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ମୃତ ଯୁବକଙ୍କ ଶରୀରରେ ମାରପିଟ ଓ କ୍ଷତ ଚିହ୍ନ ରହିଛି। ମୃତ ଯୁବକଙ୍କ ପିତା ବିଜେପିର ଜଣେ ସମର୍ପିତ କର୍ମୀ। ତାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.