‘ଶହିନ ବାଗ’କୁ ନେଇ ତେଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ରାଜନୀତି, ଜାଣନ୍ତୁ ବିକାଶପୁରୀରେ କ’ଣ କହିଲେ ବିଜେପି ସାଂସଦ
28/01/2020 at 8:16 PM

ନୂଆଦିଲ୍ଲୀ ୨୮।୧: ବିଧାନସଭା ନିର୍ବାଚନ ଲାଗି ରାଜଧାନୀ ଦିଲ୍ଲୀ ଏବେ ଉଠୁଛି ପଡୁଛି। ଏଥିରେ ସଂଶୋଧିତ ନାଗରିକ ଆଇନ (ସିଏଏ), ଏନଆରସି ଓ ଏନପିଆରକୁ ନେଇ ଦିଲ୍ଲୀ ଶାହିନ ବାଗରେ ମହିଳାଙ୍କ ବିରୋଧ ରାଜନେତାଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି। ତେବେ ବିଜେପି ଏବେ ଦିଲ୍ଲୀ ବିଧାସଭା ନିର୍ବାଚନକୁ ଜାତୀୟ ଏକତାର ପରୀକ୍ଷା ବୋଲି କହିବା ଭୋଟରଙ୍କୁ ଚାରିଛକରେ ଛିଡା କରିଦେଇଛି। ଏଥିରେ ପଶ୍ଚିମଦିଲ୍ଲୀ ସାଂସଦ ପ୍ରବେଶ ଶାହିବ ସିଂ ବର୍ମାଙ୍କ ବିକାଶପୁରୀ ସଭାରେ ଭାଷଣ ଏବେ କିଛି ଭୋଟରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
ଦିଲ୍ଲୀ ଉପରେ ଆମ ଆଦମୀ ନେତା ଆରବିନ୍ଦ କେଜରୀ ୱାଲ ନିଜର ଏକାଧିକାର ଜାହିର କରି ରଖିଛନ୍ତି। ତେବେ ବିଜେପି ଲାଗି ନିର୍ବାଚନ ଏବେ ସମ୍ମାନର ପ୍ରଶ୍ନ ପାଲଟିଯାଇଛି। କେନ୍ଦ୍ର ସରକାରଙ୍କ ସିଏଏ, ଏନଆରସି ଓ ଏନପିଆର ନିଷ୍ପତ୍ତି ସମ୍ମୁଖରେ ହେଉଥିବା ନିର୍ବାଚନ ପ୍ରଦେଶ ବିଜେପି ଲାଗି ମସ୍ତବଡ ଆହ୍ୱାନ ପାଲଟିଛି। ଏଥିରେ ମଙ୍ଗଳବାର ବିକାଶପୁରୀରେ ଅନୁଷ୍ଠିତ ନିର୍ବାଚନୀ ସମାବେଶରେ ପ୍ରବେଶ ସିଂ ମାତ୍ର କିଛି ଘଣ୍ଟାରେ ସାହିନ ବାଗ୍ ହଟିପାରିବ ବୋଲି କହିବା ଏବେ କେବଳ ଦିଲ୍ଲୀ ନୁହେଁ ଦେଶର ରାଜନୀତିକୁ ଉଷ୍ମ କରିଛି।
ଦିଲ୍ଲୀରେ ବିଜେପିର ବାଜିମାତ କରିବା ମାତ୍ରେ ହିଁ ଶାହିନବାଗରୁ ପ୍ରଦର୍ଶନକାରୀ ଛାଡି ଚାଲିଯିବେ ବୋଲି କହିଛନ୍ତି ବର୍ମା। କେବଳ ସେତିକି ନୁହେଁ ଥରଟିଏ ଦିଲ୍ଲୀ ସରକାର ହାତକୁ ଆସିଲେ ରାଜଧାନୀର ସରକାରୀ ଜମିରେ ଥିବା ସବୁ ମସଜିଦ୍କୁ ହଟାଇ ଦିଆଯିବ ବୋଲି କହିଛନ୍ତି।
ଶାହିନବାଗ୍ ବାହାନାରେ ସେଠି ଦୈନିକ ହଜାର ହଜାର ଲୋକ ଠୁଳ ହେଉଛନ୍ତି। ସେମାନେ ସେଠୁ ଉଠି ଆପଣଙ୍କ ଘରେ ପଶିବେ, ମା, ଭଉଣୀଙ୍କ ଇଜ୍ଜତ ଲୁଟି ସେମାନଙ୍କୁ ହତ୍ୟା କରିବେ। ସେ ବିଷୟରେ ବି ଦିଲ୍ଲୀବାସୀ ଥରେ ଚିନ୍ତା କରିଦେଖନ୍ତୁ। ଯେଉଁମାନେ ସେମାନଙ୍କୁ ସେଠି ବସାଇଛନ୍ତି ସେମାନେ ପିଠିରେ ପଡିବାକୁ ଆସିବେନି। ସେତେବେଳେ ମୋଦି ଓ ଶାହା ଥିଲେ ବି କିଛି କରିବା ଅବସ୍ଥାରେ ନଥିବେ। ଏଣୁ ନିର୍ବାଚନ ହିଁ ସେଭଳି ଶକ୍ତିଙ୍କୁ ନିରସ୍ତ କରିବାକୁ ରାଜଧାନୀବାସୀଙ୍କ ହାତରେ ଏବେ ଏକମାତ୍ର ଅସ୍ତ୍ର ବୋଲି କହିଛନ୍ତି ବର୍ମା। ଏଣୁ ଏଥର ଦିଲ୍ଲୀ ନିର୍ବାଚନକୁ କେବଳ ଏକ ନିର୍ବାଚନ ନଭାବି ଦେଶର ଏକତା ପରୀକ୍ଷା ବୋଲି ଲୋକେ ଭାବି ଭୋଟ ଦେବାକୁ ଯାଆନ୍ତୁ ବୋଲି ନିବେଦନ କରିଛନ୍ତି।
ତେବେ ଏହାର ଜବାବ ରଖିଛନ୍ତି କେଜ୍ରିୱାଲ। କହିଛନ୍ତି ରାଜଧାନୀର ଆଇନଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଜିମ୍ମା ବୋଲି କହିଛନ୍ତି। ଏଥିରେ ଯଦି ରାଜ୍ୟ ସରକାର ପ୍ରତିବନ୍ଧକ ବୋଲି କେନ୍ଦ୍ର ସରକାର ଭାବୁଛନ୍ତି ତେବେ କାଗଜ ଆଣନ୍ତୁ ଲେଖିକି ଦେଇ ଦେବି ସରକାର ଘଣ୍ଟାକରେ ରାସ୍ତାକୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରିଦିଅନ୍ତି। କିନ୍ତୁ ସରକାର ସେ କଥା କରିବେ ନାହିଁ ମୁଁ ଭଲ ରୂପେ ଜାଣିଛି। ଫେବୃଆରୀ ୮ରେ ନିର୍ବାଚନ ସରିବ ୯ ତାରିଖରେ ରାସ୍ତା ଖୋଲିବ ବୋଲି କହିଛନ୍ତି କେଜ୍ରିୱାଲ।