ମାଙ୍କଡଙ୍କ ଆକ୍ରମଣରୁ ବଞ୍ଚିବାକୁ ଦୁଇ ମହଲା କୋଠାରୁ ଡେଇଁ ପଡିଲେ ବିଜେପି ନେତାଙ୍କ ପତ୍ନୀ, ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | September 08, 2021 IST

ଶାମଲି ୦୮/୦୯ : ଉତ୍ତର ପ୍ରଦେଶ ଶାମଲି ଜିଲ୍ଲା କେରାନାରେ ମାଙ୍କଡଙ୍କ ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡଙ୍କ ହମଲାରୁ ବଞ୍ଚିବା ଚକ୍କରରେ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ମହିଳା ଘରର କୌଣସି କାମ ପାଇଁ ଛାତ ଉପରକୁ ଯାଇଥିଲେ। ଠିକ ସେତିକିବେଳେ ମାଙ୍କଡମାନେ ହମଲା କରିଥିଲେ। ମାଙ୍କଡଙ୍କ ଆକ୍ରମଣରୁ ବଞ୍ଚିବାକୁ ମହିଳା ଛାତରୁ ଡେଇଁ ପଡ଼ିଥିଲେ। ଛାତରୁ ଡେଇଁବା ଫଳରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି।

ମାମଲା କେରାନା ଅଞ୍ଚଳର। ବିଜେପିର ପୂର୍ବତନ ସାଂସଦ ସ୍ବର୍ଗୀୟ ବାବୁ ହୁକୁମ ସିଂହଙ୍କ ପୁତୁରା ଏବଂ ବରିଷ୍ଠ ବିଜେପି ନେତା ଅନିଲ ଚୌହାନଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସୁଷମା ଦେବୀ। ତାଙ୍କ ବୟସ ୫୦ ବର୍ଷ। ସୁଷମା ଦେବୀ ମନ୍ଦିରରେ ପୂଜା କରିବା ପରେ ଘର ଛାତ ଉପରକୁ ଯାଇଥିଲେ। ସେତେବେଳେ ମାଙ୍କଡଙ୍କ ଏକ ଗୋଷ୍ଠୀ ତାଙ୍କୁ ହମଲା କରିଥିଲେ। ମାଙ୍କଡଙ୍କ ଠାରୁ ବଞ୍ଚିବାକୁ ସେ ଘରର ଦ୍ୱିତୀୟ ମହଲାରୁ ଡେଇଁ ପଡିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଶାମଲିର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ମୃତ ସୁଷମା ଦେବୀ ୱାର୍ଡ ନମ୍ବର-୧୩ ର ଜିଲ୍ଲା ପଞ୍ଚାୟତ ପୂର୍ବତନ ସଦସ୍ୟ ଥିଲେ। ବିଜେପି ନେତାଙ୍କ ପତ୍ନୀଙ୍କ ଦେହାନ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ କିଛି ମାନ୍ୟଗଣ୍ୟ ଲୋକେ ଏବଂ ପରିବାରର ଶୁଭଚିନ୍ତକ ନେତାଙ୍କ ଘରେ ପହଞ୍ଚି ସମବେଦନା ଜଣାଇଛନ୍ତି। ମହିଳାଙ୍କ ଅନ୍ତିମ ସଂସ୍କାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.