ବରଗଡ ଲୋକସଭା ଟିକେଟ୍ କଟିବା ପରେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ସୁବାସ ଚୌହାନ
25/03/2019 at 10:45 AM

ବରଗଡ଼ ୨୫/୩ : ବରଗଡ ଲୋକସଭା ଟିକେଟ୍ କଟିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁବାସ ଚୌହାନ । ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି । ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସୁବାସ ଚୌହାନଙ୍କୁ ବିଜେପି ଉପସଭାପତି କରିଛି, କିନ୍ତୁ ସୁବାସ ତାଙ୍କ ମନର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି, ମୁଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି ।
ବିଜେପିକୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବାବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା । ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା । ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ । କିନ୍ତୁ ଅପମାନର ସୀମା ଟପିଗଲା । ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ବ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି । କିନ୍ତୁ ଫଳ ଓଲଟା ହେଲା । ଏହା ପଶ୍ଚିମ ଓଡିଶାର ଓବିସି ସମାଜ ପ୍ରତି ଘୋର ଅପମାନ । ମୁଁ ସଂଗଠନରେ ଅଛି ରହିବି ଓ ଲୋକଙ୍କ ସେବା କରିବି । ମୋ ପ୍ରତି ଅତୁଟ ବିଶ୍ବାସ ରଖିଥିବା ପଶ୍ଚିମ ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ସୁବାସ ଚୌହାନ ।