ବେଙ୍ଗଲ ପଲିଟିକ୍ସରେ ଟ୍ବିଷ୍ଟ୍‌ : ମୁକୁଲ ରାୟଙ୍କ ପରେ ରାଜୀବ ବାନାର୍ଜୀଙ୍କ ହେବ ଘର ବାହୁଡା ! ଟିଏମସି ନେତାଙ୍କୁ ଭେଟିବା ପରେ ଜୋର ଧରିଲା ଚର୍ଚ୍ଚା

Published By : Prameya-News7 Bureau | June 12, 2021 IST

କୋଲକାତା ୧୨/ ୦୬ : ପଶ୍ଚିମବଙ୍ଗରେ ଏବେ ଘର ବାହୁଡା ପର୍ବ ଆରମ୍ଭ ହୋଇଛି । ମୁକୁଲ ରାୟଙ୍କ ପରେ ଏବେ ବିଜେପି ନେତା ରାଜୀବ ବାନାର୍ଜୀ ମଧ୍ୟ ତୃଣମୂଳ କଂଗ୍ରେସ ଦଳକୁ ଫେରିବାକୁ ଯାଉଛନ୍ତି ! ରାଜୀବ ବାନାର୍ଜୀ ଟିଏମସିର ରାଜ୍ୟ ସଚିବ କୃଣାଳ ଘୋଷଙ୍କୁ ଶନିବାର ଦିନ ତାଙ୍କ ଘରେ ଯାଇ ଭେଟ କରିବା ଏଭଳି ଖବରକୁ ଖୋରାକ ଯୋଗାଇଛି । ଅବଶ୍ୟ କୃଣାଳ ଘୋଷ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର କହିଛନ୍ତି କିନ୍ତୁ ରାଜୀବ ବାନାର୍ଜୀ ପୂର୍ବରୁ ମଧ୍ୟ ଏଭଳି ଅନେକ ସଙ୍କେତ ଦେଇ ସାରିଛନ୍ତି ।


ଏହାରି ମଧ୍ୟରେ ରାଜୀବ ବାନାର୍ଜୀ ଟିଏମସି ସଚିବଙ୍କୁ ତାଙ୍କ ବାସଭବନରେ ଭେଟିବା ଏହି ଚର୍ଚ୍ଚାକୁ ଆହୁରି ବଢାଇଦେଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିଲେ ରାଜୀବ ବାନାର୍ଜୀ । ଟିଏମସିରେ ଥିବା ବେଳେ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ଦୋମଜୁର ଆସନରୁ ଲଢି ପରାଜିତ ହୋଇଥିଲେ ।


ଏହା ପୂର୍ବରୁ ଗତକାଲି ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ ମୁକୁଲ ରାୟ । ନିର୍ବାଚନ ପରେ ହଠାତ ମୁକୁଲଙ୍କ ତୁଣ୍ଡ ଦିଦିଙ୍କ ପ୍ରତି ନରମିଥିଲା । ଏହା ସହିତ ସେ କହିଥିଲେ ପଶ୍ଚିମବଙ୍ଗରେ ଯେଉଁଭଳି ସ୍ଥିତି, ବିଜେପିରେ କୌଣସି ନେତା ତିଷ୍ଠିବା ମୁସ୍କିଲ । ୨୦୧୭ରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ ମୁକୁଲ ରାୟଙ୍କୁ ଦଳ ପକ୍ଷରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମଧ୍ୟ ଦିଆଯାଇଥିଲା । କିନ୍ତୁ ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା ବଢିବା ପରେ ସେ ଏକ ପ୍ରକାର କୋଣ ଠେସା ହୋଇଯାଇଥିଲେ । ଯାହା ଫଳରେ ବିଜେପିରେ ରହି ଅଣନିଶ୍ବାସୀ ହୋଇଯାଇଥିଲେ ସେ । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲଙ୍କ ଘର ବାହୁଡା ହୋଇଥିଲା ।


ମଙ୍ଗଳବାର ବିଜେପି ପକ୍ଷରୁ ହୋଇଥିବା ଦଳୀୟ ବୈଠକରେ ଉପସ୍ଥିତ ନଥିଲେ ମୁକୁଲ ରାୟ ଏବଂ ରାଜୀବ ବାନାର୍ଜୀ । ଏହା ପରେ ହିଁ ଉଭୟ ନେତାଙ୍କ ଆଭିମୁଖ୍ୟ ସନ୍ଦେହ ଘେରକୁ ଆସିଥିଲା । ଏହା ସହିତ ଟ୍ବିଟ କରି ରାଜୀବ ବାନାର୍ଜୀ କହିଥିଲେ ଯେ ନିର୍ବାଚନୀ ପରବର୍ତ୍ତୀ ହିଂସା ପାଇଁ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁକରିବା ଜନାଦେଶର ଅପମାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.