ଥାନାରେ ରାତି କାଟିଲେ ବିଜେପି ନେତା : ଚାଷୀ ଅଧିକାର ରାଲି ବେଳେ ଗିରଫ, ପୋଲିସ ଛାଡିବା ପରେ ବି ଥାନା ଆଗରେ ବସିରହିଲେ
22/01/2021 at 10:06 AM

ସମ୍ବଲପୁର ୨୨।୧: ଥାନାରେ କଟିଲା ରାତି । ରାତିସାରା ଉଜାଗର ରହି ଥାନା ପରିସରରେ ବସି ରହିଲେ ବିଜେପି ନେତା । RDCଙ୍କୁ ଭେଟିବା ଦାବିରେ ଗୁରୁବାର ଦିନ ୩ଟାରୁ ସମ୍ବଲପୁର ଟାଉନ ଥାନାରେ ଏପର୍ଯ୍ୟନ୍ତ ବସି ରହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ ।

କେବଳ ସେତିକି ନୁହେଁ ଆରଡିସି ଅଫିସ ଘେରାଉ ବେଳେ ଗିରଫ ହୋଇଥିବା ସମସ୍ତ ନେତୃବୃନ୍ଦ ବି ଥାନା ପରିସରରେ ବସିଛନ୍ତି । ଗୁରୁବାର ସମ୍ବଲପୁର ଆରଡିସି ଅଫିସ ଘେରାଉ ସମୟରେ ଏମାନଙ୍କୁ ପୋଲିସ ଗିରଫ କରିବା ପରେ ଛାଡି ଦେଇଥିଲା । ହେଲେ ଥାନା ପରିସରରୁ ଆସିବାକୁ ସେମାନେ ନାରାଜ ।

ସମ୍ବଲପୁରରେ ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି ଗୁରୁବାର ଚାଷୀ ସମାବେଶ କରିଥିଲା ବିଜେପି । ଅଇଁଠାପାଲି ପିଏଚଡି ପଡ଼ିଆରେ ସାଧାରଣ ସଭା ପରେ, ୫ ଦଫା ଦାବି ନେଇ ଆରଡିସି ଅଫିସ ଘେରାଉ କରିଥିଲେ ହଜାର ହଜାର ଚାଷୀ ଓ ବିଜେପି କର୍ମୀ । ଘେରାଉ ସମୟରେ ପୋଲିସ ୧୬ ଜଣ ବରିଷ୍ଠ ବିଜେପି ନେତାଙ୍କୁ ଗିରଫ କରିଥିଲା ।