ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି କହିଲେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ

Published By : Prameya-News7 Bureau | December 06, 2018 IST

ଭୁବନେଶ୍ବର ୦୬|୧୨: ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଦଳରେ ବହୁ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି ବୋଲି ପ୍ରତାପ କହିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଭଳି ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମରୁଡ଼ି ନାହିଁ । ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଗଣମାଧ୍ୟମକୁ କହିଥିଲେ । ତେବେ ଜୁଏଲ ଓରାମ ଯାହା କହିଛନ୍ତି, ତାହା ତାଙ୍କର ନିଜସ୍ବ ମନ୍ତବ୍ୟ ବୋଲି ପ୍ରତାପ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରତାପ ଷଡଙ୍ଗୀ ଗ୍ରହଣ କରୁନଥିବା ଏଥିରୁ ସ୍ପଷ୍ଟ ହୋଇଛି । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରାଯିବା ଭଳି କୌଣସି ସମୟରେ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯାଇପାରେ ବୋଲି ଅତୀତରେ ଚର୍ଚ୍ଚା ହୋଇଛି । ପ୍ରତାପ ଷଡଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ରହିଥିବା ବରାବର କୁହାଯାଉଛି । ତେବେ ଅପରାଜିତା  ଷଡଙ୍ଗୀ ବିଜେପିରେ ଯୋଗଦେବା ପରେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ଖଣ୍ଡନ କରିବାକୁ ଯାଇ ଜୁଏଲ କହିଥିଲେ ଯେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ଜନତା ପାର୍ଟିରେ ଧର୍ମେନ୍ଦ୍ରଙ୍କୁ ଛାଡି ଅନ୍ୟ ଯାହାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଆଲୋଚନା ହୁଏ ତାକୁ ବିଜେପିର ଏକ ବଡ ଗୋଷ୍ଠୀର ବିରୋଧର ସମ୍ମୁଖୀନ ହେବାକୁ ପଡିଥାଏ । ଏବେ ଧର୍ମେନ୍ଦ୍ରଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରତାପ ଷଡଙ୍ଗୀ ଗ୍ରହଣ ନକରିବା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.