ଲେଖାଶ୍ରୀଙ୍କ ବୟାନ ବିବାଦ : ବିଜେପି ନେତ୍ରୀ କହିଲେ ବିଜେଡିକୁ କାହିଁକି ବାଧିଛି ମୁଁ ଜାଣିଛି, ବିଜେଡିର ଦାବି ଲେଖାଶ୍ରୀ ପ୍ରଥମେ କ୍ଷମା ମାଗନ୍ତୁ

Published By : Prameya-News7 Bureau | November 18, 2020 IST

ଭୁବନେଶ୍ବର ୧୮।୧୧: ପୁରୀ ସଂପର୍କୀତ ବୟାନ ଦେଇ ବିବାଦୀୟ ହୋଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ବିବାଦ ଥମୁନି । ବିଜେଡି ସହ କଂଗ୍ରେସରୁ ସମାଲୋଚନା ହେବା ପରେ କଥା ଢୋକିଥିବା ଲେଖାଶ୍ରୀ ବୁଧବାର ସମାଲୋଚକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଜଗନ୍ନାଥଙ୍କ ନାଁ ନେଇନଥିବା କହି ସେ ବିଜେଡି ନେତାଙ୍କୁ ଆକ୍ଷେପ କରିଛନ୍ତି । ତାଙ୍କ ବକ୍ତବ୍ୟ ଏବେ ବିବାଦକୁ ଆହୁରି ତେଜିଛି । ଲେଖାଶ୍ରୀ କହିଛନ୍ତି, ମୁଁ କେଉଁଠି ଜଗନ୍ନାଥଙ୍କ ନାଁ ନେଇନାହିଁ । କଳାପାହାଡର ଭଉଣୀ କହୁଥିବା ଲୋକେ ଓଡିଶାକୁ ପଛକୁ ନେଇଛନ୍ତି । ମୁଁ ଜାଣିଛି ବିଜେଡିକୁ କେଉଁଠି ବାଧୁଛି । ସିଧାସଳଖ ପ୍ରଶ୍ନ ପଚାରୁଥିବାରୁ ବିଜେଡି ଏମିତି ହେଉଛି । ଲୋକାଲ୍ ଫର୍ ଭୋକାଲ୍ ପାଇଁ ମୁଁ ଏ ପ୍ରସଙ୍ଗ ଉଠାଇଛି ।

wp:html /wp:html

ସେପଟେ ଲେଖାଶ୍ରୀ କ୍ଷମା ମାଗିବା ଦରକାର ବୋଲି ବିଜେଡି କହିଛି । ଲେଖାଶ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଲେଖାଶ୍ରୀ ଅନୁତପ୍ତ ନୁହଁନ୍ତି କହିବା ତାଙ୍କ ନିର୍ବୋଧତା ଓ ଅହଂକାର । ସେଥିପାଇଁ ସେ କ୍ଷମା ମାଗୁନାହାନ୍ତି । ପ୍ରମିଳା କହିଛନ୍ତି, ବିଜେଡି କାହିଁକି ଲେଖାଶ୍ରୀଙ୍କୁ ଟାର୍ଗେଟ୍ କରିବ ? ଲେଖାଶ୍ରୀ କିଏ ? ସେ କ’ଣ ଅଛନ୍ତି ଯେ ବିଜେଡି ତାଙ୍କୁ ଟାର୍ଗେଟ୍ କରିବ ? ଓଡିଶା ମାଟି ସଂସ୍କୃତି ଓ ଓଡ଼ିଶାର ଦେବତାଙ୍କୁ ଯିଏ ଅପମାନିତ କରିବ ବିଜେଡି ତାଙ୍କୁ ଟାର୍ଗେଟ୍ କରିବ ବୋଲି ବେଶ୍ ସ୍ପଷ୍ଟ ଓ ଦୃଢ ଭାବେ କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ୍ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଲୋକେ ପୂର୍ବରୁ ଜାଣିଥିଲେ । ଲେଖାଶ୍ରୀଙ୍କ ଏପରି ଅଦ୍ଭୁତ ବୟାନ ତାଙ୍କୁ ବିବାଦକୁ ଟାଣିଛି । ବୁଧବାର କିନ୍ତୁ ଲେଖାଶ୍ରୀ କହିଛନ୍ତି ସେ ଜଗନ୍ନାଥଙ୍କ ନାଁ ନେଇନାହାନ୍ତି । ଏପରିକି ବିରୋଧୀଙ୍କୁ ଭିଡିଓ ଦେଖିବାକୁ ସେ ଆହ୍ବାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବକ୍ତବ୍ୟକୁ ନେଇ ବିବାଦ ଉପୁଜିବାକୁ ନେଇ ଗତକାଲି ପ୍ରଥମ ପ୍ରତିକ୍ରିୟା ରଖିଥିଲେ ଲେଖାଶ୍ରୀ । ଟ୍ବିଟ୍ କରି ସେ ଉଲ୍ଲେଖ କରିଥିଲେ, ଓଡିଆ ସଂସ୍କୃତି, ପରମ୍ପରା କ୍ଷୁର୍ଣ୍ଣ ପାଇଁ ଷଡଯନ୍ତ୍ର ଚାଲିଛି । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଓ ଦଳ ଷଡଯନ୍ତ୍ର କରୁଛନ୍ତି । କୋଭିଡ୍ କଟକଣାରେ ଦେଶବ୍ୟାପୀ ମନ୍ଦିର ଖୋଲିଲାଣି ।କୋଭିଡ୍ ବାହାନା ଦେଖାଇ ସରକାର ଶ୍ରୀମନ୍ଦିର ଖୋଲୁ ନାହାନ୍ତି । କାହିଁକି ପୁରୀ ମନ୍ଦିର ଖୋଲୁନି ତାହା ସ୍ପଷ୍ଟ ହେବା ଦରକାର ବୋଲି ସେ ଲେଖିଛନ୍ତି । ରଥଯାତ୍ରା ବନ୍ଦ ପାଇଁ ଷଡଯନ୍ତ୍ର ହୋଇଥିଲା । ପ୍ରଭୁ ନିଜେ ନିଜ ରଥ ଯାତ୍ରା କଲେ । ଏବେ ପ୍ରଭୁ ନିଜେ ମନ୍ଦିର ଖୋଲାଇବେ ବୋଲି ଲେଖାଶ୍ରୀ ଲେଖିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ଭିଡଓକୁ ପୁରା ନଦେଖି ଗୋଟିଏ ଲାଇନ୍ କୁ ନେଇ ବିବାଦ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.