ହୋଟେଲରେ ଚା ପିଉଥିବା ବେଳେ ବାଜିଲା ଗୁଳି, ଟଳି ପଡିଲେ ବିଜେପି ନେତା

Published By : Prameya-News7 Bureau | September 22, 2021 IST

ରାଞ୍ଚି ୨୨।୦୯: ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ବୁଧବାର ସନ୍ଧ୍ୟାରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଏକ  ହୋଟେଲ୍‌ରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଖିବୁଜା ଗୁଳିମାଡରେ ଆଉ ଜଣେ ଲୋକଙ୍କ ଶରୀରରେ ଗୁଳି ଲାଗିଛି। ସେ ମଧ୍ୟ ବିଜେପିର କାର୍ଯ୍ୟକର୍ତ୍ତା ହୋଇଥିବା କୁହାଯାଉଛି। ସ୍ଥାନୀୟ ପୋଲିସ ସହିତ ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସିସିଟିଭିର ଯାଞ୍ଚ ସହ ରାସ୍ତା ସିଲ୍ କରାଯାଇ ତଲାସି ଆରମ୍ଭ କରାଯାଇଛି। ଘଟଣା ପଛରେ ପରସ୍ପର ଶତ୍ରୁତା ଥିବା କୁହାଯାଉଛି।

ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଜୀତରାମ ମୁଣ୍ଡା ଚୁଟୁପାଲୁରେ ଆର୍ଯ୍ୟଲାଇନ ହୋଟେଲ୍‌ରେ ଚା ପିଉଥିଲେ। ଏହି ସମୟରେ ବାଇକ୍‌ରେ ଅପରାଧୀ ଆସି ହୋଟେଲ୍‌ରେ ପଶି ଆଖିବୁଜା ଗୁଳିମାଡ କରିଥିଲେ। ଶରୀରରେ ଅନେକ ଗୁଳି ବାଜିବାରୁ ଜୀତରାମ ମୁଣ୍ଡା ଘଟଣାସ୍ଥଳରେ ଟଳି ପଡିଥିଲେ। ତାଙ୍କ ନିକଟରେ ଥିବା ଆଉ ଜଣେ ବ୍ୟକ୍ତିଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। କିଏ କିଛି କରିବା ପୂର୍ବରୁ ଆତତାୟୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ସ୍ଥାନୀୟ ଲୋକେ ତୁରନ୍ତ ଜୀତରାମ ମୁଣ୍ଡାଙ୍କୁ ଜନତା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରସ୍ପର ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଆଶଙ୍କା କରୁଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜୀତରାମଙ୍କ ମନୋଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସହ ଶତ୍ରୁତା ଥିଲା। ଏହି କାରଣରୁ ସେ  ହତ୍ୟାର ଶିକାର ହୋଇଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ମୃତଦେହ ନିଜ ନିୟନ୍ତ୍ରଣରେ ନେଇ ତଦନ୍ତ ଆରମ୍ଭ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.