‘ତାଣ୍ଡବ’କୁ ନେଇ ଭଡକିଲା ବିଜେପି : ଆମାଜନ ପ୍ରାଇମ ଭିଡିଓକୁ ନୋଟିସ ପଠାଇଲେ କପିଳ ମିଶ୍ରା, ‘ଲୋକଙ୍କ ଧାର୍ମିକ ଭାବନା ସହ ଖେଳନାହିଁ, ତୁରନ୍ତ ବ୍ୟାନ୍ କର’

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧ : ଆମାଜନ ପ୍ରାଇମ ଭିଡିଓକୁ ଲିଗାଲ ନୋଟିସ୍‌ ଜାରି କରିଛନ୍ତି ବିଜେପି ନେତା କପିଳ ମିଶ୍ରା । ରିଲିଜ୍ ହୋଇଥିବା ଓ୍ବେବ୍‌ ସିରିଜ୍‌ ‘ତାଣ୍ଡବ’କୁ ତୁରନ୍ତ ନିଜ ସାଇଟ୍‌ରୁ ହଟାଇବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ‘ ଯଦି ଓଟିଟି ପ୍ଲାଟଫର୍ମ ଦ୍ୱାରା କିଛି ପଦକ୍ଷେପ ନିଆନଯାଏ ତେବେ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କ ୱେବ୍ ସିରିଜ ତାଣ୍ଡବରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ଜାତିଗତ ଭାବନାକୁ ପକ୍ଷାଘାତ କରିଥିବା ଆରୋପ ଆସିବା ପରେ ବଲିଉଡ ଅଭିନେତା ସୈଫ ଅଲି ଖାନ ଅଭିନୀତ ଏହି ୱେବ୍ ସିରିଜ୍‌କୁ ସାରା ଦେଶରେ ବିରୋଧ କରାଯାଇଛି। ଉତ୍ତର ପ୍ରଦେଶରେ ବିରୋଧ ଆରମ୍ଭ ହୋଇଯାଇଛି।  ସୋସିଆଲ ମିଡ଼ିଆରେ ଏହି ୱେବ୍ ସିରିଜକୁ ତୁରନ୍ତ ବ୍ୟାନ୍‌ କରିବାକୁ ଦାବି ହୋଇଛି।

ଏହା ପୂର୍ବରୁ ହଜରତଗଞ୍ଜ ଥାନାରେ ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ଭିଡିଓର ଅରିଜିନାଲ୍ କଣ୍ଟେଣ୍ଟ ହେଡ୍ ଅପର୍ଣ୍ଣା ପୁରୋହିତ, ୱେବ୍ ସିରିଜ୍ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫର, ପ୍ରଯୋଜକ ହିମାଂଶୁ କୃଷ୍ଣା ମେହରା ଓ ଲେଖକ ଗୌରବ ସୋଲାଙ୍କିଙ୍କ ସମେତ ୫ଜଣଙ୍କ ବିରୋଧରେ FIR ରୁଜୁ ହୋଇଛି।

ଏହି ବିବାଦୀୟ ଓ୍ବେବ୍‌ ସିରିଜକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆମାଜନ୍‌ ପ୍ରାଇମ୍ ଭିଡିଓର ଅଧିକାରୀମାନଙ୍କୁ ସମନ ମଧ୍ୟ ଜାରି କରାଯାଇଛି । ତାଣ୍ଡବର ପ୍ରଥମ ଏପିସୋଡର ୧୭ ମିନିଟରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରି ଧାର୍ମିକ ଭାବନାକୁ ପକ୍ଷାଘାତ କରଯାଇଛି ଏବଂ ୨୨ ମିନିଟରେ ଜାତିଗତ ଭାବନାକୁ ଉସକାଇବା ସହ ଦେଶର ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଧ୍ୟ ଅଶୋଭନୀୟ ଢଙ୍ଗରେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଡିଆ ଆଡଭାଇଜର ସଲ୍ଲାଭ ମଣି ତ୍ରିପାଠୀ କହିଛନ୍ତି, ଜନସାଧାରଣଙ୍କ ଭାବନା ସହିତ ଖେଳିବାକୁ ବରଦାସ୍ତ କରାଯିବ ନାହିଁ । ଖୁବ ଶୀଘ୍ର ତାଣ୍ଡବ ସିରିଜ୍‌ର ପୁରା ଟିମ ବିରୁଦ୍ଧରେ ଆରେଷ୍ଟ୍ ଓ୍ବାରେଣ୍ଟ ଜାରି କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.