ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟଙ୍କ ଦାବି, କହିଲେ- ଜାନୁଆରୀରୁ ଲାଗୁ ହେବ CAA

Published By : Prameya-News7 Bureau | December 06, 2020 IST

ଇନ୍ଦୋର ୦୬/୧୨:  ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟ(ବିଜେପି)ର ମହାସଚିବ ତଥା ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ବଡ଼ ବୟାନ ଦେଇଛନ୍ତି। ସିଏଏକୁ ନେଇ ଦେଶରେ ଏବେ ବି ଚର୍ଚ୍ଚା ଥମି ନଥିବା ବେଳେ ବିଜୟବର୍ଗିୟଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ୨୦୨୧ ଜାନୁଆରୀରୁ ଦେଶରେ ସିଏଏ ଲାଗୁ ହୋଇପାରେ ବୋଲି କହିଛନ୍ତି କୈଳାଶ ବିଜୟବର୍ଗିୟ। ଏହା ଦ୍ବାରା କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଥିବା ବହୁ ଶରଣାର୍ଥୀଙ୍କୁ ନାଗରିକତା ଦେଇପାରନ୍ତି ବୋଲି ସେ କହିଛନ୍ତି।

ବିଜୟବର୍ଗିୟ ଶନିବାର ପଶ୍ଚିମବଙ୍ଗର ୨୪ ପ୍ରାଗଣା ଜିଲ୍ଲାରେ ଏକ ସଭାକୁ ସମ୍ବୋଧନ କରି ଏନେଇ କହିଛନ୍ତି। ଆଗାମୀ ବର୍ଷ ଏପ୍ରିଲ-​‌ମେରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଜୋରଦାର କ୍ୟାମ୍ପେନ ଆରମ୍ଭ କରିଛି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ବିଜେପି ନେତା ବିଜୟବର୍ଗିୟ କହିଛନ୍ତି, ‘ସିଏଏ ଦ୍ବାରା କେନ୍ଦ୍ର ସରକାର ରାଜ୍ୟର ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ପ୍ରକ୍ରିୟା ଜାନୁଆରୀରୁ ଆରମ୍ଭ କରିପାରନ୍ତି। ପଡ଼ୋଶୀ ଦେଶରୁ ପ୍ରତାଡ଼ିତ ହୋଇ ଭାରତ ଆସିଥିବା ଶରଣାର୍ଥୀମାନଙ୍କୁ ମୋଦି ସରକାର ନାଗରିକତା ଦେବା ପାଇଁ ଏହି ନିୟମ ତିଆରି କରିଛନ୍ତି।’

କିନ୍ତୁ ଏହା ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, କରୋନା ମହାମାରୀ ପାଇଁ ସିଏଏ ଲାଗୁ କରିବାକୁ ସମୟ ଲାଗିବ। ଅନ୍ୟପଟେ ବିଜୟବର୍ଗିୟଙ୍କ ସିଏଏକୁ ନେଇ ମନ୍ତବ୍ୟ ଉପରେ ଟିଏମସି ନେତା ଫିରହାଦ ହକିମ କହିଛନ୍ତି, ବିଜେପି ପଶ୍ଚିମବଙ୍ଗ ଲୋକଙ୍କୁ ମୁର୍ଖ ବନାଇବାକୁ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.