Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟକୁରାରେ ପରାଜୟ ପରେ ଏମିତି କହିଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର…

25/07/2019 at 12:16 PM

ଭୁବନେଶ୍ବର ୨୫|୭: ପାଟକୁରା ବିଧାନସଭା ଆସନରେ ହେବିଓ୍ବେଟ୍ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ ପୁଣି ପରାସ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟୀ ହୋଇଛନ୍ତି । ଫଳରେ ପାଟକୁରାକୁ ନେଇ ଲାଗି ରହିଥିବା ହାଇ ଟେନସନ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଇତିହାସର ପୁନରାବୃତ୍ତି ହୋଇଛି । ବିଧାନସଭାକୁ ବିଜୟ ମହାପାତ୍ରଙ୍କ ବାଟ ବନ୍ଦ କରିବାରେ ବିଜେଡି ସଫଳ ହୋଇଛି । ୨୦୦୦ ମସିହା ପରଠାରୁ ବିଜୟ ମହାପାତ୍ର ପାଟକୁରା ଆସନରୁ ବାରମ୍ବାର ପରାସ୍ତ ହୋଇଆସୁଛନ୍ତି ।

୨୦୦୦ ମସିହାରେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ପ୍ରରୋଚନାରେ ବିଜୟ ମହାପାତ୍ରଙ୍କ ବିଜେଡି ଟିକେଟକୁ ଅବୈଧ କରିଦିଆଯାଇଥିଲା । ସେବେଠାରୁ ବିଜୟ ବିଧାନସଭା ବାହାରେ ରହିଛନ୍ତି । ବିଜୁବାବୁଙ୍କ ସମୟରେ ବା ବିଜିବାବୁଙ୍କ କୃପାରୁ ବିଜୟ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏବେ ବିଜୁଙ୍କ ପୁଅ ନବୀନଙ୍କ କୋପରୁ ବିଜୟ ୪ଥର ବିଧାନସଭା ନିର୍ବାଚନ ହାରିଲେଣି ବୋଲି କୁହାଯାଇପାରେ । ଚଳିତ ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୯୬ ହଜାର ୧୭ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜୟ ମହାପାତ୍ର ପାଇଛନ୍ତି ୭୮ ହଜାର ୯୭ ଖଣ୍ଡ ଭୋଟ୍ । ୧୭ ହଜାର ୯୨୦ ଭୋଟ୍ ବ୍ୟବଧାନରେ ସେ ପରାଜିତ ହୋଇଛନ୍ତି । 

ତେବେ ପରାଜୟ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି ଯେ, ଶାସକ ଦଳର ଚକ୍ରାନ୍ତ ଯୋଗୁଁ ସେ ପରାଜିତ ହୋଇଛନ୍ତି । ବିଜେଡି ଦଳର ନେତା ଓ ମନ୍ତ୍ରୀ ଯେଉଁଭଳି ଭାବେ ଗୋଟିଏ ନିର୍ବାଚନମଣ୍ଡଳୀକୁ ଘେରାବନ୍ଦୀ କରି ରଖିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ପାଟକୁରା ନିର୍ବାଚନମଣ୍ଡଳୀରେ ଦଳର ବହୁ ହେବିଓ୍ବେଟ୍ ନେତା ମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିବା ବିଜୟ କହିଛନ୍ତି । ବିଭିନ୍ନ ସ୍ଥାନରୁ ଭୋଟିଂ ମେସିନରେ ତ୍ରୁଟି ଥିବା ଅଭିଯୋଗ ମଧ୍ୟ ଆସିଥିବା ବିଜୟ ପ୍ରକାଶ କରିଛନ୍ତି । ଘର ଘର ବୁଲି ପଇସା ବଣ୍ଟାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିବା ସେ କହିଛନ୍ତି । ଏନେଇ ଦଳର ବରିଷ୍ଠ ନେତାଙ୍କ ସହ ଚର୍ଚ୍ଚା ଏବଂ ଆଲୋଚନା କରିବା ପରେ ଯାହା ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ତେବେ ବିଜୟ ମହାପାତ୍ରଙ୍କ ପରାଜୟ ପରେ ତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ମଧ୍ୟ ଆଲୋଚନା ହେଉଛି। ବିଜୟ ମହାପାତ୍ର ରାଜନୀତିରୁ ସନ୍ୟାସ ନେବେ ନା ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଲଢିବେ ଏଭଳି ଅନେକ ପ୍ରଶ୍ନ ଏବେ ବିଜୟ ପ୍ରେମୀଙ୍କ ମନରେ ଉଙ୍କି ମାରିଲାଣି । ବିଜେପି ତାଙ୍କୁ କେଉଁ ପଦରେ ଥଇଥାନ କରିବ ନା ରାଜ୍ୟସଭା ପଠାଇବା ଲାଗି ଅଙ୍କ କଷିବ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ବିଜୟ ମହାପାତ୍ର ଯେଉଁ ମିଜାଜର ନେତା ସେ ବିଜେପିରେ ପୁଣି ରହିବେ ନା ପୁଣି ଅସନ୍ତୋଷ ବ୍ୟକ୍ତ କରି ଦଳରୁ ଅଲଗା ହେବେ ତାହା ଦେଖିବାକୁ ବାକି ରହିଲା । କାରଣ ପାଟକୁରା ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ବେଳେ ରପାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ବିଜେଡି-ବିଜେପି ଭିତରେ ଆଉ ସେ କଟ୍ଟର ଶତୃତା ନାହିଁ ।

ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମମର୍ଥନ ଦେବା ସବୁ ଅଂକକୁ ବଦଳାଇଦେଇଛି । ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିବା ପରଠୁ ପାଟକୁରାରେ ବିଜୟ ମହାପାତ୍ରଙ୍କ ବିଜୟ ନେଇ ଆଶଂକା ସୃଷ୍ଟି ହୋଇଥିଲା । ଏପରିକି ପାଟକୁରା ଆସନ ପାଇଁ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାରେ ସମର୍ଥନ କରିଲା ବୋଲି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଯଦି ସାମାନ୍ୟ ସତ୍ୟତା ଥାଏ ତାହେଲେ ବିଜୟଙ୍କ ସହ ବିଶ୍ବାସଘାତକତା ହେଲା ବୋଲି ଧରାଯିବ ଏବଂ ବିଜୟ ଏହାକୁ ଗୁରୁତର ସହ ଗ୍ରହଣ କରିପାରନ୍ତି ।

   Related Posts