ବିଜେପିରୁ ଇସ୍ତଫା ଦେଲେ ଅଶୋକ ପାଣିଗ୍ରାହୀ

Published By : Prameya-News7 Bureau | October 12, 2019 IST

ବିଜେପୁର ୧୨|୧୦: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ । ବିଜେପୁରର ବରିଷ୍ଠ ବିଜେପି ନେତା ହେଉଛନ୍ତି ଅଶୋକ ପାଣିଗ୍ରାହୀ । ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ଅଶୋକ ପାଣିଗ୍ରାହୀ । ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ । ଦୁଇ ଦିନ ତଳେ ଦଳୀୟ ନେତୃତ୍ବ ବିରୋଧରେ ବିଷୋଦଗାର କରିଥିଲେ । ଦଳର ନିଷ୍ପତ୍ତିକୁ ବିରୋଧ କରି ସେ ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

୨୦୧୮ ବିଜେପୁର ଉପ ନିର୍ବାଚନରେ ଅଶୋକ ପାଣିଗ୍ରାହୀ ଦଳର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ରୀତା ସାହୁ । ଅଶୋକ ପାଣିଗ୍ରାହୀଙ୍କୁ ପାଖାପାଖି ୪୩ ହଜାର ଭୋଟ୍ ବ୍ୟବଧାନରେ ହରାଇ ରୀତା ସାହୁ ବିଜୟୀ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ବେଳେ ଅଶୋକ ସାହୁଙ୍କୁ ବିଜେପି ପ୍ରାର୍ଥୀ କରିନଥିଲା । ତାଙ୍କ ସ୍ଥାନରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଥିଲା । ସନତ ଗଡତିଆ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ପାଖାପାଖି ୫୭ ହଜାର ଭୋଟ୍ ରେ ପରାସ୍ତ ହୋଇଥିଲେ । ତଥାପି ଚଳିତ ଉପ ନିର୍ବାଚନରେ ବିଜେପି ଚଳିତ ଥର ବିଜେପୁରରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ।

ଅଶୋକ ପାଣିଗ୍ରାହୀଙ୍କୁ ବରଗଡ ଜିଲ୍ଲାରେ ଜଣେ ଭଲ ସଂଗଠକ ବୋଲି ବିଚାର କରାଯାଏ । ସେଥିପାଇଁ ୨୦୧୮ ଉପ ନିର୍ବାଚନ ବେଳେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ । ଅବଶ୍ୟ ବିଶୃଙ୍ଖଳା ପାଇଁ ଅଶୋକ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବେ ଅଶୋକ ପାଣିଗ୍ରାହୀ ବିଜେପି ଛାଡିବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କଣ ହେବ ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.