ବିଜେପି ଚାଣକ୍ୟଙ୍କ ମିଶନ ବେଙ୍ଗଲ : ଟିଏମସିରେ ପ୍ରବଳ ବିଦ୍ରୋହ ପରେ କୋଲକାତା ପହଞ୍ଚିବେ ଅମିତ ଶାହା, ପ୍ରସ୍ତୁତ କରିବେ ଆଗାମୀ ନିର୍ବାଚନୀ ରଣନୀତି

Published By : Prameya-News7 Bureau | December 18, 2020 IST

କୋଲକାତା ୧୮/ ୧୨ : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହିତ ବିବାଦ ମଧ୍ୟରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ହେଭିଓ୍ବେଟ୍ ନେତା । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ୨ ଦିନିଆ କୋଲକାତା ଗସ୍ତରେ ପହଞ୍ଚିବେ ଗୃହ ମନ୍ତ୍ରୀ ଅମିତ ଶାହା ।

ପଶ୍ଚିମବଙ୍ଗରେ ସତ୍ତାରେ ଥିବା ଟିଏମସି ଦଳରେ ଏବେ ବିବାଦ ଘନେଇବାରେ ଲାଗିଛି । ଶୁଣିବାକୁ ମିଳୁଛି ଯେ, ମମତାଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀ, ଶୀଲଭଦ୍ର ଦତ୍ତ ଏବଂ ୨ ଦିନ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇ ଦଳ ଛାଡିଥିବା ଜିତେନ୍ଦ୍ର ତିଓ୍ବାରୀଙ୍କ ସମେତ ତୃଣମୂଳ କଂଗ୍ରେସର କିଛି ଟାଣୁଆ ନେତା ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି ।

ଶନିବାର ସକାଳେ ଏନଆଇଏର ଅଧିକାରୀଙ୍କ ସହ ଆଲୋଚନା କରିବେ ଅମିତ ଶାହା । ଏହା ପରେ ସେ ଉତ୍ତର କୋଲକାତାସ୍ଥିତ ସ୍ବାମୀ ବିବେକାନନ୍ଦଙ୍କ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ପରେ ପରେ ଶାହା ମେଦିନିପୁର ଯିବେ ଏବଂ କ୍ରାନ୍ତିକାରୀ ଖୁଦୀରାମ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

ବିଜେପି ନେତା କହିଛନ୍ତି ଯେ ଏହା ପରେ ଗୃହମନ୍ତ୍ରୀ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ ଏବଂ ପରେ ମେଦିନୀପୁରର କଲେଜ ପଡିଆରେ ଅନୁଷ୍ଠିତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବିଜେପି ନେତା କହିଛନ୍ତି, 'ରାଲିରେ ବହୁ ତୃଣମୂଳ କଂଗ୍ରେସ ନେତା ବିଜେପିରେ ଯୋଗଦେବା ସମ୍ଭାବନା ରହିଛି । ଏହି ରାଲି ପରେ ଶ୍ରୀ ଶାହା କୋଲକାତା ଫେରିବେ । ଏଠାରେ ଆମେ ରାଜ୍ୟ ନେତାଙ୍କ ସହ ଏକ ବୈଠକ କରିବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ।

ଅମିତ ଶାହା ରବିବାର ଦିନ ସାନ୍ତିନିକେତନର ବିଶ୍ୱ ଭାରତ ବିଶ୍ୱବିଦ୍ୟାଳୟକୁ ଯାଇ ବାଉଲ ଗାୟକ ସିଙ୍ଗରଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା କହିଛନ୍ତି ଏହା ପରେ ଅମିତ ଶାହା ବୋଲପୁରରେ ଏକ ରୋଡ୍ ସୋ ଏବଂ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଫେରିଯିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.