ଲକ୍ଡାଉନ୍ର ଧଜିଆ ଉଡାଇଲେ ବିଜେପି ନେତା, ନିଜ ଏରିଆରେ କରାଉଥିଲେ ଫିଲ୍ମ ‘ଇସ୍କ ଦିଓ୍ଵାନାର’ ସୁଟିଂ, FIR ରୁଜୁ
31/03/2020 at 4:38 PM

ନୂଆଦିଲ୍ଲୀ ୩୧।୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଭାଇରସ୍ ପ୍ରକୋପକୁ ରୋକିବା ପାଇଁ ପୂରା ଦେଶରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ କ୍ରମାଗତ ପ୍ରେରିତ କରୁଛନ୍ତି। ମାତ୍ର ତାଙ୍କ ପାର୍ଟିର ନେତା ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସର ଧଜିଆ ଉଡାଇଛନ୍ତି। ସୁପୋଲର ପୂର୍ବତନ ସାଂସଦ ତଥା ବିଜେପି ନେତା ବିଶ୍ଵମୋହନ କୁମାର ଲକ୍ଡାଉନ୍କୁ ହସରେ ଉଡାଇ ନିଜ ଇଲାକା ଓ ଘରେ ଫିଲ୍ମ ସୁଟିଂ କରାଇଛନ୍ତି। ଏଥିରେ ଫିଲ୍ମରେ କାମ କରୁଥିବା କର୍ମଚାରୀ ଓ ଶତାଧିକ ଗାଁ ଲୋକ ସାମିଲ ହୋଇଥିଲେ। ବିଶ୍ଵମୋହନ କୁମାର ସୁପୋଲ ଜିଲ୍ଲାର ଜଣେ ଟାଣୁଆ ନେତା। ସାଂସଦ ହେବା ପୂର୍ବରୁ ସେ ବିହାର ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ।
ସୁପୋଲର ପୂର୍ବତନ ସାଂସଦଙ୍କ ବାସଭବନ ପରିସରରେ ଲକ୍ଡାଉନ୍ ମଧ୍ୟରେ ହେଉଥିବା ଫିଲ୍ମ ସୁଟିଂ ଉପରେ ଏସପି ମନୋଜ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏସପି ଫିଲ୍ମ ନିର୍ମାତା ଓ ପୁର୍ବତନ ସାଂସଦ ବିଶ୍ଵମୋହନଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ଥାନାର ଭାରାପ୍ରାପ୍ତ ଅଧିକାରୀ ପୂର୍ବତନ ସାଂସଦ ସହିତ ନିର୍ମାତାଙ୍କ ଉପରେ କେସ୍ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି। ପୋଲିସ୍ ଫିଲ୍ମ ନିର୍ମାଣକାରୀ କମ୍ପାନୀର କ୍ୟାମେରା ମଧ୍ୟ ଜବତ କରିଛି। ଲକ୍ଡାଉନ୍ ବେଳେ ଭୋଜପୁରୀ ଫିଲ୍ମ ଇସ୍କ-ଦିଓ୍ଵାନାର ସୁଟିଂ ଚାଲିଥିଲା, ଯାହାକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ ଜମୁଥିଲା।

ଏହି ଘଟଣା ନେଇ କେହି ଜଣେ ସଦର ଏସଡିଓଙ୍କଠାରେ ଅଭିଯୋଗ କରିଥିଲେ। ଏସଡିଓ ସଦର ପିପରାର ବିଡିଓ ଓ ସିଓକୁ ଘଟଣାର ତଦନ୍ତ କରିବାକୁ ଆଦେଶ ଦେଇଥିଲେ। ମାତ୍ର ପିପରାର ବିଡିଓ ନିଜର ବରିଷ୍ଠ ଅଧିକାରୀଙ୍କୁ ମିଛ ସୂଚନା ଦେଇଥିଲେ କହିଥିଲେ ଯେ ଏଠାରେ କୌଣସି ପ୍ରକାରର ଫିଲ୍ମ ସୁଟିଂ ହେଉନଥିଲା।
ମାତ୍ର ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଏସପି ନିଜେ ରତୌଲି ଗାଁ ଆସି ଘଟଣାର ଯାଞ୍ଚ କରିଥିଲେ। ଏହା ପରେ ସମସ୍ତ କାହାଣୀ ସାମ୍ନାକୁ ଆସିଥିଲା। ଏସପିଙ୍କ ଆଦେଶକ୍ରମେ ଫିଲ୍ମର ନିର୍ମାତା ଓ ପୂର୍ବତନ ସାଂସଦଙ୍କ ବିରୋଧରେ ପିପରା ଥାନାରେ କେସ୍ ରୁଜୁ କରିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି।
ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ୧୪୦୦ ଟପିଥିବା ବେଳେ ୪୧ ଜଣଙ୍କ ମୃତ୍ୟୁ ଘଟିଲାଣି।