Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ମୈ ଭି ଚୌକିଦାର’ କ୍ୟାମ୍ପେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଦେଶର ପ୍ରତ୍ୟେକ ନାଗରିକ ଚୌକିଦାର

ନୂଆଦିଲ୍ଲୀ ୧୬|୩ : ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆକ୍ରାମକ ଢଙ୍ଗରେ ପ୍ରଚାର ଆରମ୍ଭ କରିଦେଲାଣି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ବିଟର ହାଣ୍ଡଲରୁ ଗୋଟିଏ ଭିଡିଓ ଜାରି କରିବା ସହ ‘ମୈ ଭି ଚୌକିଦାର’ କ୍ୟାମ୍ପେନ୍ ର ଶୁଭାରମ୍ଭ କରିଛନ୍ତି । ନିଜକୁ ପୁଣି ଥରେ ଚୌକିଦାର କହିଛନ୍ତି ମୋଦି । କେବଳ ସେ ନୁହଁନ୍ତି ଦେଶର ପ୍ରତ୍ୟେକ ନାଗରିକ ଚୌକିଦାର ବୋଲି ମଧ୍ୟ କହିଛନ୍ତି । ଏହି ଭିଡିଓରେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବନ୍ଧରେ ସୂଚନା ଦିଆଯାଇଛି । ଭିଡିଓର ଶେଷରେ ୩୧ ମାର୍ଚ୍ଚ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାମିଲ ହେବାକୁ ଆହ୍ବାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଆପଣଙ୍କ ଚୌକିଦାର ଦୃଢତାର ସହ ଶତ୍ରୁକୁ ସାମ୍ନା କରି ଦେଶର ସେବା କରୁଛି । ମାତ୍ର ଏଠାରେ ମୁଁ ଏକା ନାହିଁ । ଯେଉଁମାନେ ଭ୍ରଷ୍ଟାଚାର, ଦୁର୍ନୀତି, ସାମାଜିକ ବିଶୃଙ୍ଖଳତା ସହ ଲଢୁଛନ୍ତି ସେମାନେ ଜଣେ ଜଣେ ଚୌକିଦାର । ଯିଏ ବି ଦେଶର ବିକାଶ ପାଇଁ କାମ କରୁଛି ସେ ଚୌକିଦାର । ଆଜି ସବୁ ଭାରତୀୟ କହୁଛନ୍ତି ମୈ ଭି ଚୌକିଦାର ହୁଁ । ପ୍ରଧାନମନ୍ତ୍ରୀ ହ୍ୟାସ୍ ଟାଗ୍ ର ମଧ୍ୟ ବ୍ୟବହାର କରିଛନ୍ତି ଯେଉଁଥିଲେ ଲେଖାଅଛି #MainBhiChowkidar ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରରେ ୩.୪୫ ମିନିଟ୍ ର ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସରକାରଙ୍କ ସଫଳତାକୁ ମଧ୍ୟ ଦର୍ଶାଯାଇଛି । ଭିଡିଓ ଶେଷରେ ‘ମୈ ଭି ଚୌକିଦାର’ କ୍ୟାମ୍ପେନ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମାର୍ଚ୍ଚ ୩୧ ରେ ସନ୍ଧ୍ୟା ୬ଟାରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି ।

କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନସାଧାରଣଙ୍କୁ ସମ୍ବୋଧିତ କରି ନିଜକୁ ଚୌକିଦାର ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଉପରେ ରାଫେଲ ଡିଲ୍ ଘୋଟାଲାର ଅଭିଯୋଗ ଆଣିଥିଲେ । ରାହୁଲ ଗାନ୍ଧି ରାଫେଲ୍ ଡିଲ୍ ରେ ଭ୍ରଷ୍ଟାଚାରର ଅଭିଯୋଗ ଆଣି ରାଲି ଗୁଡିକରେ ଚୌକିଦାର ଚୋର୍ ହୈ ର ନାରା ଦେଇଥିଲେ । ଏବେ ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବରେ ଟ୍ବିଟ୍ କରି କହିଛନ୍ତି ଯେ, ଭ୍ରଷ୍ଟାଚାର ବିରୋଧରେ ଲଢେଇ ଜାରି ରହିବ ଏବଂ ଏହି ଲଢେଇରେ ସାମିଲ ହୋଇଥିବା ଦେଶର ପ୍ରତ୍ୟେକ ନାଗରିକ ଚୌକିଦାର ।

167 Views

   ସମ୍ବନ୍ଧିତ ଖବର