ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଧାନସଭା ନିର୍ବାଚନରୁ ଓହରିବାକୁ ଲାଞ୍ଚ ଦେଇଥିଲେ କେରଳ ବିଜେପି ସଭାପତି,ଏବେ ଥାନାରେ ମାମଲା

Published By : Prameya-News7 Bureau | June 08, 2021 IST

କୋଚି,୦୮/୦୬: କେରଳ ବିଜେପି ସଭାପତିଙ୍କ ନାଁରେ ମାମଲା । ପୋଲିସ ବିଜେପି କେରଳ ସଭାପତି କେ ସୁରେନ୍ଦ୍ରନଙ୍କ ବିରୋଧରେ ନିକଟରେ ସରିଥିବା ନିର୍ବାଚନରେ ଅନିୟମିତତା ନେଇ ମାମଲା ରୁଜୁ କରିଛି । କେ ସୁରେନ୍ଦ୍ରନ ମଞ୍ଜେଶ୍ୱର ଆସନରୁ ନାମାଙ୍କନ ପ୍ରତ୍ୟାହାର ପାଇଁ ବିରୋଧୀ ପ୍ରାର୍ଥୀଙ୍କୁ ଧମକ ଓ ଲାଞ୍ଚ ଦେବା ମାମଲାରେ କାରବାର କରିଛି ପୋଲିସ ।

କେରଳରେ ଗତ ଏପ୍ରିଲ ୬ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୋଲିସର କହିବାନୁସାରେ, ମଞ୍ଜେଶ୍ୱରମ୍ ଆସନରୁ ସୁରେନ୍ଦ୍ରନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମାକପା ପ୍ରାର୍ଥୀ ବିବି ରାମସେନ କୋର୍ଟରେ ଏକ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନର ଶୁଣାଣି କରି ସୁରେନ୍ଦ୍ରନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ୧୭୧ବି ଏ ଇ ଦ୍ୱାରା ମାମଲା ରୁଜୁ କରିଛି । ଏହି ଧାରା ଲାଞ୍ଚ ସମ୍ବନ୍ଧୀୟ ଅଟେ । ତେବେ ବିନା ଓ୍ୱାରେଣ୍ଟରେ କୌଣସି ଗିରଫଦାରି କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏହି ଆସନରୁ ବିଏସପି ପ୍ରାର୍ଥୀ ହୋଇଥିବା ସୁନ୍ଦର ଅଭିଯୋଗ କରିଥିଲେ ଯେ, ବିଜେପି ତାଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ଧମକ ଦେଉଥିଲା । ପରେ ଅଢେଇ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲା । ବିଜେପି ନେତା ତଥା ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ ନିକଟସ୍ଥ ସୁନିଲ ନାଇକ୍ ତାଙ୍କୁ ଟଙ୍କା ଓ ସ୍ମାର୍ଟଫୋନ୍ ଦେଇଥିଲେ । ତେବେ ବିଜେପି ଅଭିଯୋଗକୁ ଖଣ୍ଡନ କରିଛି । ଏହା ଦଳ ବିରୋଧରେ ଷଡଯନ୍ତ୍ର ବୋଲି ସଫେଇ ଦେଇଛି ।

ସୂଚନାଯୋଗ୍ୟ, ସୁରେନ୍ଦ୍ର ୨୦୧୬ରେ ନିର୍ବାଚନ ଲଢିଥିଲେ । କିନ୍ତୁ ୨୦୨୧ରେ କେ ସୁରେନ୍ଦ୍ରନଙ୍କ ସମର୍ଥନରେ ନାମାଙ୍କନ ପ୍ରତ୍ୟାହର କରି ନେଇଥିଲେ । ସୁନ୍ଦରଙ୍କୁ ୨୦୧୬ରେ ୪୬୭ ଭୋଟ୍ ମିଳିଥିଲା । ଯେଉଁ କାରଣରୁ ସୁରେନ୍ଦ୍ରନ ୟୁଡିଏଫ ପ୍ରାର୍ଥୀଙ୍କଠାରୁ ୮୯ ଭୋଟରେ ପରାସ୍ତ ହୋଇଥିଲେ । ସୁନ୍ଦରଙ୍କ ଖୁଲାସା ପରେ କାସରଗୋଡ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.