୫ ମାସ ବିତି ଯାଇଥିଲେ ମଧ୍ୟ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲାନି ନ୍ୟାୟ, ପ୍ରତିବାଦରେ ବିଜେପିର କେ. ନୂଆଗାଁ ଥାନା ଘେରାଉ

Published By : Prameya-News7 Bureau | October 10, 2020 IST

ସାନଖେମୁଣ୍ଡି,୧୦|୧୦:  ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ଥାନା ଅର୍ନ୍ତଗତ ଦେଓଖାଳି ଗ୍ରାମର ଜନୈକା ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର । ଅଭିଯୁକ୍ତକୁ ଗିରଫ ଓ ପୀଡିତା ପରିବାରଙ୍କୁ ନ୍ୟାୟ ଦାବିରେ ଶନିବାର ଭାରତୀୟ ଜନତା ପାର୍ଟି ତରଫରୁ କେ . ନୂଆଗାଁ ଥାନା ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

{"id":342084,"sizeSlug":"large"}

ସୂଚନାନୁସାରେ, ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଓଖାଳି ଗ୍ରାମର ଜଣେ ଯୁବତୀ ଗତ ମେ ମାସ ୧୦ ତାରିଖରେ ନିଜ ମାଆଙ୍କ ସହ ବିଲକୁ ଯାଇଥିଲେ । ବିଲ କାର୍ଯ୍ୟରେ ମାଆଙ୍କୁ ସହଯୋଗ କରିବା ପରେ ନିକଟସ୍ଥ ନଦୀପଠାକୁ ଗାଧୋଇବା ପାଇଁ ଆସିଥିଲେ । କିନ୍ତୁ ଝିଅର ଆସିବା ବାଟକୁ ଚାହିଁ ବସିଥିବା ମାଆ ଝିଅର ଫେରିବାର ବିଳମ୍ବ ଦେଖି ନିଜେ ନଦୀପଠାକୁ ଯିବା ସମୟରେ ଝିଅର ମୃତଦେହ ପଡ଼ିଥିଲା । ଘଟଣାପରେ କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଦେଇଥିଲେ ।

ଇତି ମଧ୍ୟରେ ହତ୍ୟା ଘଟିବାର ୫ ମାସ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ନା ହତ୍ୟାକାରୀକୁ ଧରିବାରେ ସଫଳ ହୋଇପାରିଲା ନା ମୃତ ପ୍ରମୋଦିନୀଙ୍କ ପରିବାରଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇପାରିଲା । ଏନେଇ ପରିବାର ଲୋକେ ପୀଡିତାଙ୍କୁ ନ୍ୟାୟ ଆଶାରେ ବାରମ୍ବାର ଥାନାର ଦ୍ୱାରସ୍ଥ ହେଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ବରଂ ନିରାଶରେ ଘରକୁ ଫେରିଛନ୍ତି । ଝିଅକୁ ହରାଇ ମନରେ ଗୁମୁରି ଗୁମୁରି କାନ୍ଦି ଶେଷରେ ନ୍ୟାୟ ଆଶାରେ ମୁଣ୍ଡରେ ହାତ ପକାଇ ବସିଛନ୍ତି ।

ତେବେ ଶନିବାର ଦିନ ୧୧ଟା ସମୟରେ ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନାରାବାଜି ଲଗାଇ କେ . ନୂଆଗାଁ ଥାନା ପରିସରରେ ହତ୍ୟାକାରୀକୁ ଗିରଫ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ସ୍ଥାନୀୟ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଉଥିବା ବେଳେ ଖୁବଶିଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.