ବିଜେପିରେ ମିଶିବେ ଟିଏମସିର ୪୧ ବିଧାୟକ ! କୈଳାଶ ବିଜୟବର୍ଗୀୟଙ୍କ ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚହଳ
14/01/2021 at 10:07 PM

କୋଲକାତା ୧୪/୦୧ : ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ ଗୁରୁବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରର ପ୍ରାୟ ୪୧ ବିଧାୟକ ବିଜେପି ମିଶିବା ପାଇଁ ଇଚ୍ଛୁକ ଅଛନ୍ତି । ପଶ୍ଚିମବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ବିଜୟବର୍ଗୀୟଙ୍କ ଏଭଳି ବୟାନ ବେଙ୍ଗଲ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଅନ୍ୟ ପଟେ ନିର୍ବାଚନ ଆଉ ମାତ୍ର କିଛି ଦିନ ଥିବାରୁ ଏବେଠାରୁ ସେଠାରେ ରାଜନୈତିକ ହିଂସା ଦେଖିବାକୁ ମିଳିଲାଣି ।
କୈଳାଶ ବିଜୟବର୍ଗୀୟ କହିଛନ୍ତି, ‘ଟିଏମସିର ପ୍ରାୟ ୪୧ ବିଧାୟକ ମୋ ସହ ଯୋଗାଯୋଗରେ ଅଛନ୍ତି । ଯଦି ସେହି ୪୧ ବିଧାୟକଙ୍କୁ ମୁଁ ବିଜେପିରେ ସାମିଲ କରିଦେବି ତେବେ ମମତା ସରକାର ସତ୍ତାରୁ ଯିବା ଥୟ । କିନ୍ତୁ ସେହି ବିଧାୟକମାନଙ୍କ ମଧ୍ୟରୁ କହାକୁ ଦଳରେ ସାମିଲ କରାଯିବ ଏବଂ କାହାକୁ କରାଯିବ ନାହିଁ ସେ ନେଇ ଆଲୋଚନା ଚାଲିଛି । ଯଦି ସେମାନଙ୍କ ମଧ୍ୟରୁ କୌଣସି ବିଧାୟକଙ୍କର ଛବି ଖରାପ ଥିବ ତେବେ ସେମାନଙ୍କୁ ବିଜେପିରେ ସାମିଲ କରାଯିବ ନାହିଁ’ ।
ବିଜୟବର୍ଗୀୟ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗରେ ହିଂସାର ରାଜନୀତି ଚାଲିଛି । ଅନୁପ୍ରବେଶକାରୀମାନେ ରାଜ୍ୟରେ ପ୍ରବେଶ କରି ଲାଗାତାର ଭାବେ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେ କହିଛନ୍ତ ଅନୁପ୍ରବେଶକାରୀଙ୍କୁ ଭୟ ଲାଗୁଛି, ଯଦି ବେଙ୍ଗଲରେ ବିଜେପି ସରକାରକୁ ଆସେ ତେବେ ସେମାନଙ୍କୁ ଚିହ୍ନଟ କରାଯାଇ ବିଦା କରାଯିବ ଏବଂ ଅବୈଧ କାରବାର କରିବା ପାଇଁ ସୁଯୋଗ ମିଳିବ ନାହିଁ । ସେଥିପାଇଁ ସେମାନେ ଏଭଳି ହିଂସାକାଣ୍ଡ ଘଟାଉଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେଉଁଭଳି ଭାବେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଗୁଣ୍ଡାମାନଙ୍କ ସାବାଡ କରିଛନ୍ତି, ସେହି ଭଳି ପଶ୍ଚିମବଙ୍ଗରେ ମଧ୍ୟ କରାଯିବ । ସେ କହିଛନ୍ତି, ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଭ୍ୟାକସିନ୍ ପାଇଁ ପୁରା ଖର୍ଚ୍ଚ କେନ୍ଦ୍ର ସରକାର ଦେବେ । କିନ୍ତୁ ଦୁର୍ଭାଗ୍ୟର କଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ଚିଠି କହିଛନ୍ତି, କୋଭିଡ୍-୧୯ ଟିକା ନିଶୁଳ୍କ ଉପଲବ୍ଧ ହେବ । ମୋଦିଙ୍କ ଏହି ଟିକାକୁ ମମତା ବାନାର୍ଜୀ ନିଜର ମୋହର ଲଗାଇବାକୁ ଚାହୁଁଛନ୍ତି ।