କଟକ ନଗର ବିଜେପିରେ ଗୋଷ୍ଠୀ କନ୍ଦଳ: ତାଳି ପକାଇବା ପାଇଁ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ଉଦ୍ୟମ
8/07/2019 at 2:55 PM

କଟକ ୮|୭: କଟକ ନଗର ବିଜେପିରେ ଗୋଷ୍ଠୀ କନ୍ଦଳର ନିର୍ଦ୍ଦିଷ୍ଟ କାରଣ କ’ଣ ତାହା ଅସ୍ପଷ୍ଟ ।ସଦସ୍ୟତା ଅଭିଯାନ ସଭାରେ ବିଶୃଙ୍ଖଳାର ୨୪ ଘଣ୍ଟା ପରେ ବି ଉଭୟ ଗୋଷ୍ଠୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପରେ ପୂର୍ଣ୍ମଚ୍ଛେଦ ପଡୁନି । ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଲାଗି ଦାୟୀଙ୍କୁ ଦଳରୁ ବିଦାକରିବା ଦାବିରେ ଅଛନ୍ତି ଯୁବନେତା ଦେବାଶିଷ ଘୋଷ । ସେପଟେ ପ୍ରତିପକ୍ଷଙ୍କ ଜବାବ ହେଲା, ସେମାନଙ୍କର କ୍ରମବର୍ଦ୍ଧିଷ୍ଣୁ ସାଂଗଠନିକ ଦକ୍ଷତାକୁ ନେଇ କିଛି ଲୋକ ଭୟଭୀତ । ତେବେ ଏହା ଭିତରେ ବିଶୃଙ୍ଖଳା ଉପରେଚାଦର ଘୋଡାଇବାକୁ ଯାଇ, ଦଳୀୟ ନେତା ପ୍ରକାଶ ମିଶ୍ର କହିଛନ୍ତି, ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢିଛି. ଆଗକୁ ଦଳ ଆହୁରି ମଜଭୁତ୍ ହେବ ।

ବିଶୃଙ୍ଖଳା ପରେ ଚାଲିଛି କାଦୁଅ ଫିଙ୍ଗା । ରବିବାର କଟକ ନଗର ବିଜେପି ସଂଗଠନର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଏବେ ସୁଦ୍ଧା ଥମୁନି ବାକ୍ ଯୁଦ୍ଧ। ପରସ୍ପର ଉପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି ଉଭୟ ପକ୍ଷ । ଦଳର ଯୁବନେତା ଦେବାଶିଷ ଘୋଷ ଦଳର ଅନ୍ୟତମ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଚିତ୍ତରଂଜନ ଦାସଙ୍କୁ ଦଳରୁ ବିଦା କରିବା ଦାବିରେ ଅଡିବସିଛନ୍ତି । ଦେବାଶିଷଙ୍କ ଅଭିଯୋଗ ହେଲା, ନିର୍ବାଚନରେ ଚିତ୍ତ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ।ତେଣୁ ତାଙ୍କୁ ବିଦା ନକରାଯିବା ଯାଏଁ ସେ ଓ ତାଙ୍କ ସହଯୋଗୀ ମାନେ ଦଳୀୟ କାର୍ଯ୍ୟକ୍ରମ କରାଇଦେବେନି ବୋଲି ମଧ୍ୟ ଦେବାଶିଷ ରୋକଠୋକ ଶୁଣାଇଛନ୍ତି ।କିନ୍ତୁ ନିଜକୁ ଦଳର ଜଣେ ଇମାନଦାର କର୍ମୀ ବୋଲି ଜବାବ ରଖି ଚିତ୍ତ କହିଛନ୍ତି, ତାଙ୍କର ସାଂଗଠନିକ ଦକ୍ଷତାକୁ ଦେଖି କିଛି ଲୋକ ଭୟଭୀତ ହୋଇ ମିଥ୍ୟାରୋପ କରୁଛନ୍ତି ।

ଦଳର ଏଜେଣ୍ତା ମୂତାବକ ରବିବାର କଟକ ଟାଉନ ହଲରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ହେବାର ଥିଲା । କିନ୍ତୁ ଯେତେବେଳେ କିଛି କର୍ମୀ ବିଶୃଂଖଳା ଆରମ୍ଭ କରିଦେଲେ , ସେତେବେଳେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତି ଥାଇବି ଚୁପ୍ ରହିଲେ । ଏପରିକି ବିଜେପିର ଆଗଧାଡିର କିଛି ନେତା ବିଶୃଙ୍ଖଳା ପ୍ରସଙ୍ଗ ଏଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏସବୁ ଭିତରେ ତାଳି ପକାଇବାଲାଗି ଚେଷ୍ଟ କରିଥିଲେ ବିଜେପିରେ କିଛି ମାସ ତଳେ ମିଶିଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ସଂଗଠନ ବିସ୍ତାର ଲାଗି ଆରମ୍ଭ ସଦସ୍ୟତା ଅଭିଯାନ ଆଗକୁ ବେଶ୍ ଫଳପ୍ରଦ ହେବ କହି ବିଶୃଙ୍ଖଳା କଥାର ଛାଇ ମାଡିନଥିଲେ ।

ପ୍ରକାଶ ମିଶ୍ର କଟକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇ ହାରିଥିଲେ ବି ବେଶ ଭଲ ଭୋଟ ହାତେଇବାରେ ସକ୍ଷମ ହୋଇଥିଲେ । ତେଣୁ ଆଗକୁ ତାଙ୍କୁ ଦଳରେ କିଛି ବିଶେଷ ଦାୟିତ୍ବ ମିଳିବାର ସମ୍ଭାବନା ଅଧିକ ।ତାହା ହୁଏତ ବିଜେପିର କିଛି ପୁରୁଣା ନେତାଙ୍କ ଲାଗି ଗ୍ରହଣୀୟ ହୋଇପାରୁନାହିଁ. ଯେଉଁଥିଲାଗି ରବିବାର ଏଭଳି ବିଶୃଙ୍ଖଳା ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ।