Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଲିସ୍ କ୍ୟାଣ୍ଟିନରେ ମହିଳାଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା: ହାତବାନ୍ଧି ବସିଛି ପୋଲିସ, ତଦନ୍ତ ପାଇଁ ପହଞ୍ଚିଲା ବିଜେପିର ଫ୍ୟାକ୍ଟ ଫାଇଡିଂ ଟିମ

7/07/2020 at 10:39 PM

ମାଲକାନଗିରି ୦୭।୦୭: ସମଗ୍ର ବିଶ୍ଵରେ କରୋନା ମହାମାରୀ କବଳରେ ଜନସାଧାରଣ ସନ୍ତୁଳିତ ହେଉଥିବା ବେଳେ ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଦିନମଜୁରିଆ ଭାବେ କାମ କରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କ ଗଣ ବଳାତ୍କାର ଓ ମୃତ୍ୟୁ ଅଭିଯୋଗ ଘଟଣାର ସରଜମିନ ତଦନ୍ତ ପାଇଁ ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି ବିଜେପି ଦଳର ଫ୍ୟାକ୍ଟ ଫାଇଡିଂ ଟିମର ପାଞ୍ଚ ଜଣିଆ ଦଳ। ଏହି ଟିମ୍‌ରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ,  ଉପ ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ମୋର୍ଚ୍ଚା ସାଧାରଣ ସଂପାଦିକା କବିତା ମହାନ୍ତି, ମାଲକାନଗିରି ବିଧାୟକ ଆଦିତ୍ୟ ମାଝୀ,  ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ ସମେତ ଅନେକ ପ୍ରମୁଖ ବିଜେପି ନେତା ଓ କର୍ମୀମାନେ ଆଜି ସକାଳେ ମାଲକାନଗିରି ଠାରେ ପହଞ୍ଚିଥିଲେ।

ଟିମ୍ ପ୍ରଥମେ ମହିଳା ରହୁଥିବା ମାଲକାନଗିରି ଟେକବାଡି ସାହି ପରିଦର୍ଶନ କରି ମୃତମହିଳାଙ୍କ ସଂପର୍କରେ ପାଖପଡୋଶୀଙ୍କ ବୟାନ ନେଇ ସରଜମିନ ତଦନ୍ତ କରିଥିଲେ। ପରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କୁ ସାକ୍ଷାତ କରି ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ମହିଳାଙ୍କ ମୃତ୍ୟୁ ସଂପର୍କରେ ତଦନ୍ତ କେତେ ଦୂର ଗଲା ସେ ସଂପର୍କରେ ଆଲୋଚନା କରିଥିଲେ।

ଏହି ମୃତ୍ୟୁ ରହସ୍ୟ ତୁରନ୍ତ ଲୋକଲୋଚନକୁ ଆଣିବା ସହ ଆସାମୀକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଗତ ମେ ମାସରେ ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ବେଳେ ଟେକବାଡି ସାହିର ଗରିବ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ଜୀବନକୁ ମାରି ଦେବାକୁ ଉଦ୍ୟମ କରିଥିଲେ। ଚିକିତ୍ସାରେ ଅବହେଳା କାରଣରୁ ଶେଷରେ ମହିଳାଜଣକ ଆଖିବୁଜି ଥିଲେ। ମହିଳାଙ୍କ ମୃତ୍ୟୁ ଘଟଣା ପାଖାପାଖି ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ କି କୌଣସି ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ।

   Related Posts