ରିଗିଂ ଏବଂ କ୍ୟାପଚରିଂ ବୁଥ ଗୁଡିକରେ ପୁନର୍ବାର ଭୋଟିଂ ଦାବି କଲା ବିଜେପି

Published By : Prameya-News7 Bureau | April 12, 2019 IST

ଭୁବନେଶ୍ୱର ୧୨/୦୪: ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସଂପୂର୍ଣ୍ଣରୂପେ ଭୁଷୁଡି ପଡିଛି । ବିଭିନ୍ନ ସ୍ଥାନରେ ବିଜେଡି ହାରିବା ଭୟରେ ରକ୍ତମୁଖା ହୋଇ ପଡିଛି । ବୁଥ ରିଗିଂ, କ୍ୟାପଚରିଂ, ପୋଲିଂ ଏଜେଂଟ ମାନଙ୍କୁ ବୁଥ ଭିତରେ ପ୍ରବେଶ କରାଇ ନଦେବାରୁ ସ୍ପଷ୍ଟ ବାରି ହୋଇ ପଡୁଛି କି ବିଜେଡି ଭୟଭୀତ ହୋଇ ପଡିଛି । କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ବିଜେପି ଏଜେଂଟ ମାନଙ୍କୁ ଭୟଭୀତ କରାଇଛନ୍ତି ଅନ୍ୟ କେତେକ ସ୍ଥାନରେ ଭୋଟରମାନେ ତାଙ୍କ ଅଧିକାର ସାବ୍ୟସ୍ତ କରିପାରିନାହାଁନ୍ତି । ଶାସକ ଦଳର ଗୁଣ୍ଡା ଏବଂ ସରକାରୀ କଳର ଅପବ୍ୟବହାର କରି ବିଜେଡି ନିର୍ବାଚନକୁ ନିଜ ଅଧୀନରେ ରଖିବାକୁ ପ୍ରୟାସ କରିଛି ।


ନିର୍ବାଚନା ପରିଚାଳନାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ନିର୍ବାଚନକୁ ମୁକ୍ତ , ଅବାଧ, ନିରପେକ୍ଷ କରିବା ସହ ରିଗିଂ ଏବଂ କ୍ୟାପଚରିଂ ବୁଥ ଗୁଡିକରେ ପୁନଶ୍ଚ ଭୋଟିଂ କରିବା ଦାବି ନେଇ ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ।


ଗତକାଲି ନିର୍ବାଚନରେ ରାଜ୍ୟରେ ୧୨ଟି ବୁଥର ଇିଭିଏମ ଡ୍ୟାମେଜ, ୬୦ଟି ବୁଥରେ ଇଭିଏମ ଖରାପ, ୭ଟି ବୁଥରେ ବୁଥ କ୍ୟାପଚରିଂ ଏବଂ ୨୮ଟି ବୁଥରେ ବୁଥ ରିଗିଂ କରାଯାଇଛି । ସେହିପରି ୧୭ଟି ବୁଥରେ ମତଦାତାମାନେ ମତଦାନ କରିପାରିନାହାଁନ୍ତି । ଏହା ବ୍ୟତୀତ ୨୯୬ ଇଭିଏମ ମେସିନରେ ତ୍ରୁଟି ଥିବାରୁ ଭୋଟଦାନ ବିଳମ୍ବରେ ହୋଇଛି ବୋଲ ପ୍ରତିନିଧୀ ଦଳ ତଥ୍ୟ ପ୍ରମାଣ ସହ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି |


ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆର ସିଂ, ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସତ୍ୟବତ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.