ଜଗତସିଂହପୁର ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ , କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ହେଲେ ସୁନାକର ବେହେରା

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪: ବିଜେପି ଜଗତସିଂହପୁର ଲୋକସଭା ଆସନ ସମେତ ଦୁଇ ବିଧାନସଭା ଆସନ ପାଇଁ ପ୍ରର୍ଥୀ ଘୋଷଣା କରିଛି । ଜଗତସିଂହପୁର ଲୋକସଭା ଆସନରୁ ବିଭୁ ପ୍ରସାଦ ତରେଇଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କାକଟପୁର ବିଧାନସଭା ଆସନରୁ ପୂର୍ବତନ ବିଧାୟକ ରବି ମଲ୍ଲିକ ଏବଂ କେନ୍ଦ୍ରାପଡା ବିଧାନସଭା ଆସନରୁ ଦଳ ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସରୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଟିକେଟ୍ ନେଇସାରିଥିବା ବିଭୁ ପ୍ରସାଦ ତରେଇ ଦୁଇ ଦିନ ତଳେ କଂଗ୍ରେସ ଛାଡିଥିଲେ । କଂଗ୍ରେସରୁ ସେ ଜଗତସିଂହପୁର ଲୋକସଭା ବା ପାରାଦୀପ ବିଧାନସଭା ପାଇଁ ଟିକେଟ୍ ଚାହୁଁଥିଲେ । କିନ୍ତୁ ଦଳ ତାଙ୍କ ଅନୁରୋଧକୁ ଉପେକ୍ଷା କରି ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ବିଭୁ ପ୍ରସାଦ ତରେଇ ୨୦୦୯ ମସିହାରେ ଜଗତସିଂହପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । କଂଗ୍ରେସ ଛାଡିବା ପରେ ଗତ ଗୁରୁବାର ଦିନ ବିଭୁ ବିଜେପିରେ ଯୋଗଦେଇଥିଲେ । ସେ ବିଜେପିରେ ଯୋଗଦେବା ପରଠୁ ତାଙ୍କୁ ଦଳ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଥିଲା । ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

{"id":100814,"width":578,"height":469}

ଅପରପକ୍ଷରେ ସମସ୍ତ ଛକାପଞ୍ଝା ଓ କଳ୍ପନାଜଳ୍ପନାର ଅବସାନ ଘଟାଇ ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପି ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଛି । ସୁନାକର ବେହେରା ବିଜେପିର ଜଣେ ପୁରୁଣା ନେତା । ୨୦୧୪ରେ ମଧ୍ୟ ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଗତଥର ନିର୍ବାଚନରେ ସେ ମାତ୍ର ୯ହଜାର ୯ଶହ ୮୧ଖଣ୍ଡ ଭୋଟ୍ ପାଇ ୩ୟ ସ୍ଥାନରେ ରହିଥିଲେ । ଚଳିତଥର ମଧ୍ୟ ସେ ଆଶାୟୀ ଥିଲେ ଓ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ସେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡା ଜିଲ୍ଲା ଉପସଭାପତି ଥିଲେ । ୧୯୯୨ ମସିହାରେ ସେ ବିଜେପିରେ ଯୋଗଦେଇଥିଲେ । ବର୍ତ୍ତମାନ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଅଛନ୍ତି ।

{"id":100815}

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ପ୍ରାର୍ଥୀ ଘୋଷଣା କରିବ ବୋଲି ଛକାପଞ୍ଝା ହୋଇ ରହିଥିବା ରାଜନୈତିକ ସମୀକ୍ଷକମାନେ ଆକଳନ କରୁଥିଲେ ।

{"id":100816}

କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଗତକାଲି ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ ତାଙ୍କୁ ଆଜି ବିଜେପି ପୁରସ୍କାର ଆକାରରେ କାକଟପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ବିଜେପି ପୂର୍ବରୁ କାକଟପୁର ବିଧାନସଭା ଆସନ ପାଇଁ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ତେବେ ସେ ବିଜେଡିରେ ଯୋଗଦେବା ଫଳରେ କାକଟପୁର ଆସନ ଫାଙ୍କା ଥିଲା । ରବି ମଲ୍ଲିକ ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ଭାବେ କାଟକପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ମସିହାରେ ତାଙ୍କୁ ବିଜେଡି ଟିକେଟ୍ ଦେଇନଥିଲା । ବିଜେଡି ସେଠାରେ ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ମଧ୍ୟ ହୋଇଥିଲେ । ଚଳିତଥର ମଧ୍ୟ ବିଜେଡି କାକଟପୁରରୁ ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.